ଝାରସୁଗୁଡ଼ା : ଝାରସୁଗୁଡ଼ା କ୍ରିଷ୍ଣା ଏନ୍କ୍ଲେଭରେ ରହୁଥିବା ସୁନିତ ଅଗ୍ରୱାଲଙ୍କ ନାବାଳକ ପୁଅ ସମର୍ଥ ଅଗ୍ରୱାଲ (୧୫)ଙ୍କୁ ଅପହରଣ ଓ ହତ୍ୟା କରାଯିବା ଅଭିଯୋଗରେ ଗିରଫ ହୋଇଥିବା ଅମିତ ଶର୍ମା ଓ ଦୀନେଶ ଅଗ୍ରୱାଲଙ୍କୁ ପୁଲିସ ଗୁରୁବାର ଏସ୍ଡିଜେଏମ୍ କୋର୍ଟକୁ ଚାଲାଣ କରିଛି। ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟରୁ ରିମାଣ୍ଡରେ ଅଣାଯାଇ ପୁଲିସ ସିନ୍ ରିକ୍ରିଏସନ୍ କରିବ ବୋଲି ଜଣାଯାଇଛି। ଏହି ହତ୍ୟାକାଣ୍ଡରେ ଆହୁରି ଅଧିକ ବ୍ୟକ୍ତିଙ୍କ ସମ୍ପୃ୍କ୍ତି ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଅମିତର ବରଗଡ଼ରେ ରହୁଥିବା କିଛି ସଂପର୍କୀୟଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି।
ଅନ୍ୟପକ୍ଷରେ ବୁଧବାର ବିଳମ୍ବିତ ରାତିରେ ମୃତ ସମର୍ଥର ଅନ୍ତେଷ୍ଟି ସଂପନ୍ନ ହୋଇଛି। ବରଗଡ଼ଠାରେ ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଦଳ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଭିଡିଓ ରେକର୍ଡିଂ ସହ ଶବ ବ୍ୟବଚ୍ଛେଦ କରାଯାଇଥିବା ନେଇ ଝାରସୁଗୁଡ଼ା ଏସ୍ପି ସ୍ମିତ ପରମାର ସୂଚନା ଦେଇଛନ୍ତି। ମୃତ ନାବାଳକର ଡିଏନ୍ଏ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଇଥିବା ବେଳେ ହତ୍ୟାକାଣ୍ଡକୁ ପ୍ରମାଣିତ କରିବା ପାଇଁ ଯାହା ସାଇଣ୍ଟିଫିକ ନୀତି ନିୟମର ଆବଶ୍ୟକତା ପଡ଼େ ତାକୁ ପାଳନ କରାଯାଇଥିବା ଏସ୍ପି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ୨୭ ତାରିଖ ଦିନ ଝାରସୁଗୁଡ଼ା ସରବାହାଲ କ୍ରିଷ୍ଣା ଏନ୍କ୍ଲେଭରେ ରହୁଥିବା ସୁନିତ ଅଗ୍ରୱାଲଙ୍କ ପୁଅ ସମର୍ଥଙ୍କ ଅପହରଣ ହୋଇଥିଲା। ରାତିରେ ସମର୍ଥଙ୍କ ମୋବାଇଲରୁ କେହି ଅଜଣା ବ୍ୟକ୍ତି ଫୋନ କରି ତାଙ୍କ ବାପା ସୁନିତଙ୍କୁ ଧମକ ଦେଇ ୫୦ ଲକ୍ଷ ଟଙ୍କା ଦାବି କରିଥିଲା। ପରଦିନ ସମର୍ଥଙ୍କ ଦରପୋଡ଼ା ଶବ ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଉଦେପୁର-ବଇପୁର ନିକଟ ବୁଦାମୂଳରୁ ଉଦ୍ଧାର କରାଯାଇଥିଲା। ସମର୍ଥଙ୍କୁ ହତ୍ୟା କରାଯାଇଥିବା ଏସ୍ପି ପରମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/SAMARTH070015.jpg)