ରାଉରକେଲା : ଚବିଲାଲ ହେମ୍ବ୍ରମ ନାମକ ଜଣେ ଯୁବକଙ୍କୁ ତାଙ୍କ ଘର ଆଗରେ ପିଟି ପିଟି ନିର୍ମମ ଭାବେ ହତ୍ୟା କରିବା ପରେ ତାଙ୍କ ପେଟକୁ କାଟି ବ୍ରାହ୍ମଣୀନଦୀରେ ଫିଙ୍ଗିଦେବା ଘଟଣାର ପର୍ଦ୍ଦାଫାସ୍‌ କରିଛି ରଘୁନାଥପାଲୀ ପୁଲିସ। ହତ୍ୟା ଘଟଣାରେ ପୁଲିସ ଦୁଇ ହତ୍ୟାକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ହତ୍ୟାକାରୀ ହେଲେ ପାନପୋଷ ବାଲୁଘାଟ ନୂଆ ବସ୍ତିର ଲାଲୁ ଓରଫ ଅମରଜିତ୍‌ ସାହୁ (୩୦), ରାଉରକେଲା ବଣିକ ସଂଘ ଅଫିସ ପଛପାଶ୍ବ ପାର୍କିଂ ବସ୍ତିର ମନୋଜ ସମାସି (୩୫)। ହତ୍ୟାରେ ବ୍ୟବହୃତ ସ୍କୁଟି, ଦୁଇଟି ଲାଠି ଓ ଛୁରି ଜବତ ହୋଇଛି। ଅନ୍ୟ ଜଣେ ଫେରାର ଅଛି।

Advertisment

ହତ୍ୟାକାରୀ ମନୋଜ ସମାସି ପୂର୍ବରୁ ହତ୍ୟାଘଟଣାରେ ଜେଲ୍‌ରେ ଥି‌ଲା। କିଛି ମାସ ପୂର୍ବରୁ ଜେଲ୍‌ରୁ ବାହାରିଥିଲା। ବିଦ୍ୟୁତ୍‌ ମିଟର ପୋଡିଦେବା ଓ ପଡୋଶୀଙ୍କ ଝିଅକୁ ଦୁର୍ବ୍ୟବହାର କରିବାରୁ ଚବିଲାଲକୁ ଦୁଇଟି ଲାଠିରେ ପିଟିପିଟି ହତ୍ୟା କରିଥିଲେ। ଧରା‌ ନ ପଡ଼ିବାକୁ ଚବିଲାଲର ପେଟକୁ ଛୁରିରେ କାଟି ଓ ଗୋଡକୁ ପଥରେ ବାନ୍ଧି ବ୍ରାହ୍ମଣୀନଦୀରେ ଫିଙ୍ଗିଦେଇଥିଲେ। ଫେରାର ହତ୍ୟାକାରୀକୁ ଖୁବ୍‌ ଶୀଘ୍ର ଗିରଫ କରିବାକୁ ଟିମ୍‌ ଗଠନ କରାଯାଇଛି ବୋଲି ଆଜି ରଘୁନାଥପାଲୀ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୁ କହିଛନ୍ତି।

ତାଙ୍କ କହିବାନୁଯାୟୀ ଚବିଲାଲ ପଡୋଶୀ ମନୋଜଙ୍କ ପରିବାର ଝିଅକୁ ବାରମ୍ବାର ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲା। ପ୍ରତିବାଦ କରୁଥିଲେ ହେଁ ସେ ମାନୁ ନଥିଲା। ଏପରିକି ସେ ମନୋଜ ଘରେ ଲାଗିଥିବା ବିଦ୍ୟୁତ୍‌ ମିଟରକୁ ନିଆଁ ଲଗାଇ ଜାଳିଦେଇଥିଲା। ଚବିଲାଲର ଏଭଳି ଗୁଣ୍ଡାରାଜକୁ ମନୋଜ ଆଦୌ ସହ୍ୟ କରିପାରୁ ନଥିଲା। ମଜୋଜ, ଲାଲୁ ଓ ତା’ର ଅନ୍ୟ ଜଣେ ସହଯୋଗୀକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ତିନି ଜଣ ମିଶି ଚବିଲାଲ ରାସ୍ତାକୁ ହଟାଇବାକୁ ଯୋଜନା କରିଥିଲେ। ଘଟଣା ଦିନ ଅର୍ଥାତ୍‌ ଗତ ଏପ୍ରିଲ ୨୪ରେ ଯୋଜନାକୁ ବାସ୍ତବ ରୂପ ଦେଇଥିଲେ। ବିଳମ୍ବିତ ରାତିରେ ତିନି ଜଣ ଚବିଲାଲଙ୍କ ଘରେ ପହଞ୍ଚିଥିଲେ। ଚବିଲାଲକୁ ବାହାରକୁ ଆସିବାକୁ ଡାକିଥିଲେ। ଚବିଲାଲ ଘରୁ ବାହାରିବା ପରେ ତିନି ଜଣ ଲାଠିରେ ପିଟି ପିଟି ନିର୍ମମଭାବେ ହତ୍ୟା କରିଥିଲେ। ରାତିରେ ଏହି ଘଟଣା ହୋଇଥିବାରୁ ହତ୍ୟା ଘଟଣା ସମ୍ପର୍କରେ ପଡୋଶୀ ଜାଣି ପାରିନଥିଲେ। ପରେ ତିନି ଜଣ ଚବିଲାଲର ଶବକୁ ସ୍କୁଟିରେ ଲଦି ବ୍ରାହ୍ମଣୀ ନଦୀ ନିକଟକୁ ଆଣିଥିଲେ। ଚବିଲାଲର ଶବ ନଦୀପାଣିରେ ଭାସିଲେ ଧରାପଡିଯିବା ଭୟରେ ତା’ ପେଟକୁ ଧାରୁଆ ଛୁରିରେ କାଟି ଦେଇଥିଲେ ଗୋଡକୁ ପଥରେ ବାନ୍ଧି ନଦୀକୁ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ।

ପରଦିନ ଚବିଲାଲର ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକ ବ୍ରାହ୍ମଣୀତରଙ୍ଗ ପୁଲିସକୁ ସୂଚନା ଦେଇଥିଲେ। ଚବିଲାଲର ଦେହରେ କଟା ଦାଗ ଥିବାରୁ ହତ୍ୟା କରାଯାଇଥିବା ଜଣାପଡିଥିଲା। ଏସ୍‌ପିଙ୍କ ନି‌ର୍ଦ୍ଦେଶକ୍ରମେ ବ୍ରାହ୍ମଣୀତରଙ୍ଗ ଓ ରଘୁନାଥପାଲୀ ପୁଲିସକୁ ନେଇ ଗଠିତ ଟିମ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମୁଖ୍ୟ ଅଭିଯୁକ୍ତ ମନୋଜ କେବେ ଜେଲରୁ ବାହାରିଥିଲା ? ତା’ ନାଁରେ ରାଉରକେଲା କେଉଁ କେଉଁ ଥାନାରେ ଅପରାଧିକ ମାମଲା ରହିଛି, ତା’ର ପୁଲିସ ତଦନ୍ତ କରୁଛି।