ହାଇଦ୍ରାବାଦ୍‌ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ହତ୍ୟା ଯୋଜନା : ଦୁଇ ଉଚ୍ଚଶିକ୍ଷିତ ନକ୍ସଲ ଗିରଫ

ମାଲକାନଗିରି : ଦଳିତ ଛାତ୍ର ରୋହିବ ଭେମୁଲାଙ୍କ ଆତ୍ମହତ୍ୟା ପାଇଁ ମାଓବାଦୀଙ୍କ ଟାର୍ଗେଟରେ ଥିଲେ ହାଇଦ୍ରାବାଦ୍‌ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପି. ଆପ୍ପା ରାଓ। ବିଶ୍ୱବିଦ୍ୟାଳୟର ଦୁଇ ପୂର୍ବତନ ଛାତ୍ରଙ୍କ ଜରିଆରେ ହିଁ କୁଳପତିଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ମାଓ ସଂଗଠନ। ତେବେ ଗତକାଲି ରାତିରେ ତେଲେଙ୍ଗାନା ରାଜ୍ୟ ଇଷ୍ଟ ଗୋଦାବରୀ ପୁଲିସର ତ୍ୱରିତ ପଦକ୍ଷେପ ଯୋଗୁଁ ସବୁ ଯୋଜନା ପଣ୍ଡ ହୋଇଯାଇଛି। ହତ୍ୟା ପାଇଁ ବାହାରିଥିବା ଦୁଇ ଉଚ୍ଚ ଶିକ୍ଷିତ ନକ୍ସଲଙ୍କୁ ଗିରଫ କରିବା ପରେ ଏମିତି ଚାଞ୍ଚଲ୍ୟକର ତଥ୍ୟ ପୁଲିସକୁ ମିଳିଛି। ଗିରଫ ଦୁଇ ନକ୍ସଲ ହେଲେ ଆଙ୍କାଲା ପୃଥୀରାଜ ଏବଂ ଚନ୍ଦନ କୁମାର ମିଶ୍ର। ପୃଥୀରାଜ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲା ଅନ୍ତର୍ଗତ କେସରାପାଲ୍ଲୀ ଗ୍ରାମର ହୋଇଥିବା ବେଳେ ଚନ୍ଦନର ଘର ପଶ୍ଚିମବଙ୍ଗର ହାୱଡା ଠାରେ। ଦୁଇ ଶିକ୍ଷିତ ଯୁବକ କିଭଳି ସଂଗଠନ ସହ ଜଡିତ ହେଲେ ଏବଂ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଲେ ତାହା ବୁଦ୍ଧିଜୀବୀଙ୍କୁ ଚକିତ କରିଛି।

ମୃତ ମାଓବାଦୀଙ୍କ ଶବ ନେଲେନି ସଂପର୍କୀୟ : ପୁଲିସ କଲା ଅନ୍ତିମ ସଂସ୍କାର

କୋରାପୁଟ : ନାରାୟଣପାଟଣା ଏନକାଉଣ୍ଟରରେ ମୃତ ମହିଳା ମାଓବାଦୀଙ୍କ ଶବ ନେବାକୁ କେହି ସଂପର୍କୀୟ ଆସି ନାହାନ୍ତି। ଫଳରେ ପୁଲିସ ବାଧ୍ୟ ହୋଇ ମୃତଦେହ ଗୁଡିକର ଅନ୍ତିମ ସଂସ୍କାର କରାଇଛି। କୋରାପୁଟ ଜିଲ୍ଲା ନାରାୟଣପାଟଣା ଡକରା ଘାଟିରେ ଗତ ୨୫ତାରିଖରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୪ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କ ଭିତରୁ ୩ଜଣଙ୍କ ପରିଚୟ ପାଇଥିଲା ପୁଲିସ। ଏହି ୩ଜଣ ଛତିଶଗଡର ବୋଲି ପୁଲିସ ସୂଚନା ଦେଇଥିଲା। ତେବେ ଜଣଙ୍କର ପରିଚୟ ମିଳି ପାରି ନ ଥିଲା। ମୃତଦେହ ଗୁଡିକୁ ନେବା ପାଇଁ ପୁଲିସ ପକ୍ଷରୁ ସେମାନଙ୍କ ସଂପର୍କୀୟଙ୍କୁ ବିଭିନ୍ନ ଥାନା ମାଧ୍ୟମରେ ଯୋଗାଯୋଗ କରାଯାଇଥିଲା। ଏପଟେ ଚିହ୍ନଟ ହୋଇ ନ ଥିବା ମୃତଦେହର ଫଟୋ ଜାରି ହୋଇଥିଲା। ବିଭିନ୍ନ ରାଜ୍ୟକୁ ଏହି ଫଟୋ ପଠାଯାଇଥିଲା। ତଥାପି ମୃତଦେହ ନେବାକୁ କେହି ଆସି ନ ଥିଲେ।

ସମ୍ବନ୍ଧିତ ଖବର