ମାରଣାସ୍ତ୍ର ସହ ୨ ଦୁର୍ଦ୍ଦାନ୍ତ ନକ୍ସଲ ଗିରଫ

ରାଉରକେଲା : ରାଉରକେଲା ପୁଲିସ୍‌ ଜିଲ୍ଲା ସୀମାନ୍ତ ଝାଡ଼ଖଣ୍ଡର ପୋଡ଼ାହାଟ ଜଙ୍ଗଲରେ ଚାଲିଥିବା କମ୍ବିଂ ଅପରେସନ୍‌ରେ ଝାଡ଼ଖଣ୍ଡ ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ଓ ସିଆର୍‌ପିଏଫ୍‌ଙ୍କ ହାତରେ ୨ ଦୁର୍ଦ୍ଦାନ୍ତ ନକ୍ସଲ ହାବିଲ ହୋରୋ ଓ ବର୍ଣ୍ଣା ମୁଣ୍ଡାରି ଧରାପଡ଼ିଛନ୍ତି। ସେମାନଙ୍କ ଠାରୁ ଗୋଟିଏ ଥ୍ରି ନଟ୍‌ ଥ୍ରି ବନ୍ଧୁକ, ଗୋଟିଏ ପିସ୍ତଲ, ଗୋଟିଏ ଦେଶୀ ବନ୍ଧୁକ, ବିପୁଳ ଗୁଳି ସମେତ ଓ୍ଵାକିଟକି, ଡାଏରି ଓ ନକ୍ସଲ ପୋଷ୍ଟର ଜବତ ହୋଇଛି। ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ସୀମା ସଂଲଗ୍ନ ସରଣ୍ଡା ଖଣି ଅଞ୍ଚଳରୁ ଦାଦା ବଟି ଆଦାୟରେ ମାହିର ଥିବା ନକ୍ସଲ ହାବିଲ ହାରୋଙ୍କ ଗିରଫଦାରି ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା ଦେଇଛି।

ଗୋଏଲ୍‌କେରା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଖୁଣ୍ଟି ଏସ୍‌ପି ଅନୀଶ ଗୁପ୍ତା କହିଛନ୍ତି, ପୋଡ଼ାହାଟ ଜଙ୍ଗଲରେ ନକ୍ସଲ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ଓ ସିଆର୍‌ପିଏଫ୍‌ର ୬୦ ବାଟାଲିୟନ୍‌ ଯବାନମାନେ କିଛି ଦିନ ହେଲା ମିଳିତ କମ୍ବିଂ ଜୋର୍‌ଦାର୍‌ କରିଥିଲେ। ଏହି ସମୟରେ ଗୋଇଲକେରା ଥାନା ଡେରବାଙ୍ଗ୍‌ରେ ଦୁଇ ଦୁର୍ଦ୍ଦାନ୍ତ ନକ୍ସଲ ଥିବା ଗୁପ୍ତ ସୂଚନା ମିଳିଥିଲା। ତତ୍‌କ୍ଷଣାତ କମ୍ବିଂ ଟିମ୍‌ ଡେରବାଙ୍ଗରେ ଚଢ଼ଉ କରି ନକ୍ସଲ ଦ୍ୱୟଙ୍କୁ ଗିରଫ କରିଥିଲେ। ପୁଲିସ ସରାୟବେଡ଼ା ଗାଁରୁ ବହୁ ମାରଣାସ୍ତ୍ର ଜବତ କରିଥିଲେ। ହାବିଲ ସରଣ୍ଡା ଓ ପୋଡ଼ହାଟ ଜଙ୍ଗଲରେ ଆଡ଼ା ଜମାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ, ରେଳବାଇ ଠିକାଦାରଙ୍କୁ ଧମକ ଦେଇ ଦାଦା ବଟି ଅସୁଲ କରିବା ପରେ ଏରିଆ କମାଣ୍ଡର୍‌ ସନ୍ଦୀପ ଓ ମୋଛୁ ଦାଙ୍କ ସମେତ ସଂଗଠନ ନେତାମାନଙ୍କୁ ଦେଉଥିଲା। ଅସୁଲ ବଟିରେ ହାବିଲ ବାଇକ୍‌, ଟ୍ରକ ଓ ଟ୍ରାକ୍ଟର କିଣି ଥିବା ବେଳେ ମନୋହରପୁର ନିକଟ ତିର୍ଲାରେ ଏକ କୋଠା ନିର୍ମାଣ କରିଥିବା ଏସ୍‌ପି ସୂଚନା ଦେଇଥିଲେ। କୋଠାରେ ଅନେକ ସମୟରେ ନକ୍ସଲ ଆସି ବୈଠକ କରୁଥିଲେ। କିଛି ମାସ ପୂର୍ବେ ସନ୍ଦୀପ ଗିରଫ ହୋଇଥିବା ବେଳେ ମୋଛୁ ଏପର୍ଯ୍ୟନ୍ତ ଧରାପଡ଼ି ନାହିଁ। ସାମ୍ବାଦିକ ସମ୍ମିଳନୀରେ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ୍‌ ପି.ସି. ଗୁପ୍ତା, ଚକ୍ରଧରପୁର ଡିଏସ୍‌ପି ସକଲ ଦେବ ରାମଙ୍କ ସହିତ ଗୋଏଲକେରା ଥାନା ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର