ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ପୁଲିସ ନିକଟରେ ଦୁଇ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ ପୁଲିସ ଦ୍ବାରା ଆରମ୍ଭ ହୋଇଥିବା ଆତ୍ନନିର୍ଭରଶୀଳ ନୀତି ଏବଂ ଘରକୁ ଫେରିଆସ ଯୋଜନାରେ ନକ୍ସଲ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେଣି।ଏହି ପରିପ୍ରେକ୍ଷୀରେ ଆଜି ପୁଲିସ ଏବଂ ସିଆରପିଏଫ ଅଧିକାରୀଙ୍କ ସମ୍ମୁଖରେ ନକ୍ସଲ ସଂଗଠନର ବଞ୍ଜାମ ରାମା ଏବଂ ଦିରଦୋ ପୋଜ୍ଜା ନାମକ ଦୁଇ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନେ ସଂଗଠନରେ ରହି ବହୁ ହିଂସାରେ ସାମିଲ ଥିଲେ। ପୁଲିସ ତରଫରୁ ଦୁଇ ଜଣ ମାଓବାଦୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ।
କେନ୍ଦ୍ର ଓ ରାଜ୍ୟ ସରକାର ୨୦୨୬ ସୁଦ୍ଧା ନକ୍ସଲ ମୁକ୍ତ ଭାରତ ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏକାଧିକ ପଦକ୍ଷେପ ନେଇଛନ୍ତି। ହିଂସା ପରିତ୍ୟାଗ କରି ମୁଖ୍ୟସ୍ରୋତେ ସାମିଲ ହେଉଥିବା ନକ୍ସଲମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯାଉଛି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତମାସ ୧୯ ତାରିଖରେ ତେଲେଙ୍ଗାନାର ଭଦ୍ରାଦୀ କୋଥାଗୁଡୁମ ଜିଲ୍ଲା ପୁଲିସ ଓ ୧୪୧ ସିଆରପିଏଫ ଅଧିକାରୀଙ୍କ ନିକଟରେ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ଛତିଶଗଡ଼ର ବିଜାପୁର ଜିଲ୍ଲାର ପୋଡିୟମ ମାଙ୍ଗୁ ଓରଫ ଡିଭେଣ୍ଡର(୨୬), ତେଲେଙ୍ଗାନାର ମାଡିଭି ଆଡାଇମ ଓରଫ ଅନୁଷା(୨୩) ଏବଂ ଆନ୍ଧ୍ରପ୍ରଦେଶର କୁଦାମ ସୋମାଲି(୨୨)। ଏହି ତିନି ଜଣ ୨୦୧୮-୧୯ ମସିହାରେ ତେଲେଙ୍ଗାନା ରାଜ୍ୟ କମିଟିର ବିକେ-ଏଏସଆର ଡିଭିଜନରେ ସାମିଲ ହୋଇଥିଲେ। ପରେ ପଦନ୍ନୋତି ପାଇଥିଲେ। ଏମାନଙ୍କ ନାମରେ ସରକାର ୪ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ।