୨ ହାର୍ଡକୋର ନକ୍ସଲ ନିହତ, ରାଇଫଲ ସହ ମାଓ ସାମଗ୍ରୀ ଜବତ

ମାଲକାନଗିରି : ସୀମାନ୍ତ ଛତିଶଗଡରେ ନକ୍ସଲ ଦମନରେ ପୁଲିସକୁ ସଫଳତା ମିଳବାରେ ଲାଗିଛି। ପୁଲିସ ଏବଂ ନକ୍ସଲ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଦୁଇ ଜଣ ହାର୍ଡକୋର ନକ୍ସଲ ନିହତ ହୋଇଛନ୍ତି। ପୁଲିସ ଘଟଣା ସ୍ଥଳରୁ ଶବ ସହ ଗୋଟିଏ ଅଟୋମେଟିକ ରାଇଫଲ ସହ ବହୁ ମାଓ ସାମଗ୍ରୀ ଜବତ କରିଛି।

ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଆଜି ସକାଳୁ ନାରାୟଣପୁର ଜିଲ୍ଲାର ବାଲେବେଡା ନିକଟସ୍ଥ ଜଂଗଲକୁ ଜିଲ୍ଲା ପୋଲିସ ଏବଂ ଡିଆରଜି ଯବାନ କମ୍ବିଂ ଅପରେସନରେ ପଶିଥିଲେ। ଜଂଗଲରେ କ୍ୟାମ୍ପ କରି ରହିଥିବା ନକ୍ସଲ ଯବାନଙ୍କ ଆସିବା ଜାଣି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୁଇ ପଟରୁ ପ୍ରାୟ ଅଧ ଘଣ୍ଟା ଧରି ଗୁଳି ବିନିମୟ ଘଟିଥିଲା। ପରେ ପୋଲିସ ଗୁଳିର ସାମ୍ନା କରିନପାରି ନକ୍ସଲ ପଛକୁ ପଳାୟନ କରିଥିଲା। ଗୁଳି ବର୍ଷଣ ବନ୍ଦ ହେବା ପରେ ଯବାନ ଧିରେ ଧିରେ ଆଗକୁ ବଢିଥିଲେ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଦୁଇ ଜଣ ମାଓବାଦୀଙ୍କ ମୃତ ଦେହକୁ ଠାବ କରାଯାଇଥିଲା। ଦୁଇ ନକ୍ସଲଙ୍କ ଶବକୁ ଜିଲ୍ଲା କାର୍ଯ୍ୟାଳୟକୁ ଅଣାଯାଇଛି। ମୃତକଙ୍କ ମଧ୍ୟରୁ ଜଣେ କମାଣ୍ଡର କିଶୋର ବୋଲି ଜଣାପଡିଛି। ଅନ୍ୟ ଜଣଙ୍କୁ ଚିହ୍ନଟ କରାଯାଇପାରିନଥିବା ପୋଲିସ କହିଛି।

ତେବେ ଦୁଇ ମୃତ ନକ୍ସଲ ନାମରେ ସରକାର ୮ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ। ପୋଲିସକୁ ବାରମ୍ବାର ସଫଳତା ମିଳୁଥିବାରୁ ନକ୍ସଲ ଘାଇଲା ବାଘ ଭଳି ଉତ୍ପାତ କରିବେ ବୋଲି ଆଲୋଚନା ମଧ୍ୟ ଜୋର ଧରିଛି। କିନ୍ତୁ ଛତିଶଗଡ ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଉଥିବା କୁହାଯାଇଛି। କୌଣସି ଅଘଟଣକୁ ଏଡାଇବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର