ଗୁଳି ବିନିମୟରେ ଦୁଇ ନକ୍ସଲ ନିହତ

ଜୟପୁର/ମାଲକାନଗିରି : ଆନ୍ଧ୍ର-ଓଡ଼ିଶା ସୀମାରେ ଆଜି ସକାଳେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ ଯବାନ। ଉଭୟପଟୁ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିବା ବେଳେ ୨ଜଣ ନକ୍ସଲ ନିହତ ହୋଇଛନ୍ତି। ସେହିପରି ଜଣେ ଯବାନ ଆହତ ହୋଇଥିବା ବେଳେ ଚିକିତ୍ସା ନିମନ୍ତେ ବିଶାଖାପାଟଣା ନିଆଯାଇଛି। ଘଟଣା ସ୍ଥଳରେ ସର୍ଚ ଅପରେସନକୁ ଜୋରଦାର କରାଯାଇଛି। ସନ୍ଦିଗ୍ଧ ସ୍ଥାନରେ ଯବାନଙ୍କ ଚଢ଼ାଉ ଜାରି ରହିଛି।

ନିର୍ବାଚନ ପୂର୍ବରୁ ବଡ଼ ଧରଣର ହମଲା ପାଇଁ କ୍ୟାମ୍ପ କରିଥିଲେ। ଆନ୍ଧ୍ର ପ୍ରଦେଶର ପେଦାକୋଣ୍ଡାପାଲ୍ଲୀ ଥାନା ଅନ୍ତର୍ଗତ ପେଦାବେଲୁ ଜଂଗଲରେ ୨୦ରୁ ୨୫ଜଣ ନକ୍ସଲ ଏହି କ୍ୟାମ୍ପରେ ଥିଲେ। ଗୁଇନ୍ଦା ସୂତ୍ରରୁ ଏନେଇ ସୂଚନା ମିଳିବା ପରେ ଆନ୍ଧ୍ର ଗ୍ରେହାଉଣ୍ଡ ଏବଂ ୧୯୮ବାଟାଲିୟନ ସିଆରପିଏଫ ଯବାନ କମ୍ବିଂ ଅପରେସନରେ ବାହାରିଥିଲେ। ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କ ସହ ମୁହାଁମୁହିଁ ହେବାରୁ ଉଭୟ ପଟୁ ଗୁଳି ବର୍ଷା ହୋଇଥିଲା। ତେବେ ଯବାନଙ୍କ ଆକ୍ରମଣର ସାମ୍ନା କରିନପାରି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣା ସ୍ଥଳରେ ସର୍ଚ ଅପରେସନ ସମୟରେ ଦୁଇ ଜଣ ମାଓବାଦୀଙ୍କ ଶବ ଠାବ୍ କରାଯାଇଥିଲା। ସେମାନଙ୍କ ପରିଚୟ ମିଳିପାରି ନାହିଁ। ସେହିପରି ଜଣେ ଯବାନ ଆହତ ହେବାରୁ ହେଲିକପ୍ଟର ଯୋଗେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର