କନ୍ଧମାଳ ପାଇଁ ଅଡୁଆ ସୃଷ୍ଟି କଲେ ଗଞ୍ଜାମ ଫେରନ୍ତା

୨ ପଜିଟିଭ୍ ଚିହ୍ନଟ ପରେ ପ୍ରଶାସନର ବଡ ପଦକ୍ଷେପ
ରାଇକିଆ ଅଞ୍ଚଳର ୨୭ଟି ଗାଁ ନିଷିଧାଞ୍ଚଳ ଘୋଷଣା
ସବୁ ସରକାରୀ, ବେସରକାରୀ ଓ ବ୍ୟାଙ୍କ କଣ୍ଟେନମେଣ୍ଟ ଜୋନ

ଫୁଲବାଣୀ : ଗଞ୍ଜାମ ଫେରନ୍ତା ପାଇଁ କନ୍ଧମାଳରେ ଅଡୁଆ ବଢିଲା। ଆଜି ନୂଆ ଦୁଇ ଚିହ୍ନଟ ଗଞ୍ଜାମର । ଜଣେ ସ୍କୁଲ ଛାତ୍ର ହୋଇଥିବା ବେଳେ ଆଉ ଜଣେ ଏକ ଘରୋଇ ସଂସ୍ଥାର କର୍ମଚାରୀ। ଛାତ୍ର ଜଣଙ୍କ ବୟସ ୧୫ ଓ କର୍ମଚାରୀଙ୍କ ବୟସ ୨୮ବର୍ଷ। ଛାତ୍ର ଜଣକ ମା ଓ ଭଉଣୀ ସହ ରାଇକିଆ ମାମୁଁ ଘରକୁ ଆସିଥିଲେ। ସେହିଭଳି କର୍ମଚାରୀଙ୍କ ଘର ଆସ୍କାର ହୋଇଥିବା ବେଳେ ସେ ରାଇକିଆରେ କାମ କରୁଥିଲେ। ହଟସ୍ପଟ ଗଞ୍ଜାମ ଜିଲ୍ଲାରୁ ଆସିଥିବାରୁ ସେମାନଙ୍କୁ ହୋମ କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଥିଲା। ସେମାନଙ୍କ ସ୍ୱାବ ସଂଗ୍ରହ ହୋଇ ପରୀକ୍ଷା ନିମନ୍ତେ ପଠାଯାଇଥିଲା। ଆଜି ରିପୋର୍ଟ ଆସିବା ପରେ ଛାତ୍ର ଜଣଙ୍କର ପଜିଟିଭ୍ ବାହାରି ଥିବା ବେଳେ ତାର ମା ଓ ଭଉଣୀର ନିଗେଟିଭ୍ ଆସିଛି। ଆଉ ସଂପୃକ୍ତ କର୍ମଚାରୀ ଜଣଙ୍କର ରିପୋର୍ଟ ବି ପଜିଟିଭ୍ ଆସିଛି। ଆଜି ରିପୋର୍ଟ ପଜିଟିଭ୍ ଆସିବା ପରେ ରାଇକିଆ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି। ପ୍ରଶାସନ ପକ୍ଷରୁ ରାଇକିଆ ଅଞ୍ଚଳର ୧୨ଟି ଗାଁକୁ କଣ୍ଟେନମେଣ୍ଟ ଏବଂ ୧୫ଟି ଗାଁକୁ ବିଡିଓ ପ୍ରବୀଣ କୁମାର ବାଣୁଆ ବଫର ଜୋନ ଭାବେ ଘୋଷଣା କରିଛନ୍ତି। ଏଥି ସହ ରାଇକିଆ ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ ଅଫିସ,ସମସ୍ତ ବ୍ୟାଙ୍କକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।

Odisha Bytes

କଣ୍ଟେନମେଣ୍ଟ ଓ ବଫର ଜୋନ ଘୋଷଣା ପରେ ସଂପୃକ୍ତ ଅଞ୍ଚଳରେ କଟକଣାକୁ କଡାକଡି କରି ଦିଆଯାଇଛି। ଡାକବାଜି ଯୋଗେ କେହି ପଦାକୁ ନ ବାହାରିବାକୁ ଅନୁରୋଧ କରାଯାଉଥିବା ବେଳେ ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସତର୍କ କରାଇ ଦିଆଯାଇଛି। ପୂର୍ବରୁ ୨ ପଜିଟିଭ୍ ଚିହ୍ନଟ ଗଞ୍ଜାମ ଲିଙ୍କର ଥିବା ବେଳେ ଆଜି ପୁଣି ୨ ଜଣ ଲିଙ୍କରେ ସାମିଲ ହୋଇଛନ୍ତି। ଏହାକୁ ନେଇ ଜିଲ୍ଲାବାସୀ ଆଶା ଆଶଙ୍କା ବଢି ଯାଇଛି। ଗଞ୍ଜାମ ଫେରନ୍ତାଙ୍କ ଉପରେ ପ୍ରଶାସନ ଓ ପୁଲିସ କଡା ନଜର ରଖୁଛି ବୋଲି କହୁଥିବା ବେଳେ ଏହାକୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି ଜିଲ୍ଲାବାସୀ। ପ୍ରବେଶ ପଥରେ କଡା ପ୍ରହରା ଦିଆଯାଉଥିବା ବେଳେ ଗଳାବାଟ ଦେଇ ଗଞ୍ଜାମରୁ କନ୍ଧମାଳକୁ କେତେକ ପଳାଇ ଆସୁଛନ୍ତି। ସଂପ୍ରତି କନ୍ଧମାଳରେ କରୋନା ସଂକ୍ରମିତ ପରିସ୍ଥିତି ଅନ୍ୟ ଜିଲ୍ଲାଠାରୁ ସୁବିଧାଜନକ ଥିବା ବେଳେ ପଡୋଶୀ ଜିଲ୍ଲାରୁ ଫେରନ୍ତାଙ୍କ ଉପରେ କଡା ନଜର ରଖିବା ଜରୁରୀ ହୋଇପଡିଛି। ବିଶେଷତଃ ଗଞ୍ଜାମ, ଭୁବନେଶ୍ବର ଫେରନ୍ତା ଚିନ୍ତା ବଢାଉଛନ୍ତି। ଆଜି ନୂଆ ୨ ପଜିଟିଭ୍‌କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୯୩ରେ ପହଞ୍ଚିଛି। ସେଥି ମଧ୍ୟରୁ ୧୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସମ୍ବନ୍ଧିତ ଖବର