ହାଇକୋର୍ଟର ୨ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ

ଶପଥ ନେଲେ ଜଷ୍ଟିସ ଶୁଭା‌ଶିଷ ତାଳପତ୍ର ଓ ଜଷ୍ଟିସ ସଂଜୟ କୁମାର ମିଶ୍ର

କଟକ : ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ଶୁଭା‌ଶିଷ ତାଳପତ୍ର ଓ ଜଷ୍ଟିସ ସଂଜୟ କୁମାର ମିଶ୍ର ଶପଥ ଗ୍ରହଣ କରିଛନ୍ତି। ଶୁକ୍ରବାର ଦିନ ହାଇକୋର୍ଟ ନୂଆ କନଫରେନ୍ସ ହଲ୍‌ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଡକ୍ଟର ଜ‌ଷ୍ଟିସ ଏସ.ମୁରଲୀଧର ଦୁଇ ନୂଆ ବିଚାରପତିଙ୍କୁ ଶପଥପାଠ କରାଇଥିଲେ। ଗୃହ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା ବିଚାରପତିଙ୍କ ବଦଳି ଓ ନିଯୁକ୍ତି ସ˚ପର୍କିତ ଆଦେଶନାମା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ସମସ୍ତ ବିଚାରପତିଙ୍କ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁଲିସ ଡିଜି ସୁନୀଲ କୁମାର ବଂଶଲ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ଭବାନୀ ଶଙ୍କର ‌ଚୟନୀ, ସିଏମ୍‌ସି କମିସନର ଅନନ୍ୟା ଦାସ, ଡିସିପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟ ବିଚାରପତିଙ୍କୁ ମିଶାଇ ବିଚାରପତିଙ୍କ ସଂଖ୍ୟା ୨୩ରେ ପହଞ୍ଚିଲା

The New Indian Express

ଶୁକ୍ରବାର ଦିନ ଦୁଇ ବିଚାରପତିଙ୍କ ଶପଥଗ୍ରହଣ ପରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। କିନ୍ତୁ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କର କଲିକତା ହାଇକୋର୍ଟକୁ ବଦଳି ହୋଇଥିଲେ ବି ସେ ଏବେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ଆଜି ଶପଥ ନେଇଥିବା ଜଷ୍ଟିସ ଶୁଭାଶିଷ ତାଳପତ୍ର ୧୯୬୧, ଅକ୍ଟୋବର ୪ରେ ତ୍ରିପୁରାର ଉଦୟପୁରଠାରେ ଜନ୍ମଗ୍ରହଣ କରିଥିଲେ। ୨୦୧୧, ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୩, ସେପ୍ଟେମ୍ବର ୧୩ରେ ସେ ତ୍ରିପୁରା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୧୮, ନଭେମ୍ବର ୨ରୁ ୧୩ ତାରିଖ ଓ ୨୦୧୯, ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସେ ତ୍ରିପୁରା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

ସେହିଭଳି ଶୁକ୍ରବାର ଦିନ ଶପଥ ନେଇଥିବା ଜଷ୍ଟିସ ସଂଜୟ କୁମାର ମିଶ୍ର ୧୯୬୭, ନଭେମ୍ବର ୧୪ରେ ଜନ୍ମଗ୍ରହଣ କରିଥିଲେ। ୧୯୯୦ରେ ସେ ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଭାବେ ଯୋଗଦେଇଥିଲେ। ସାମ୍ବିଧାନିକ, ଶ୍ରମ, ଶିଳ୍ପ, ଚାକିରି ଆଦି ମାମଲା ପରିଚାଳନାରେ ତାଙ୍କର ବିଶେଷ ଦକ୍ଷତା ରହିଥିଲା।

ସମ୍ବନ୍ଧିତ ଖବର