ଶପଥ ‌ନେଲେ ହାଇକୋର୍ଟର ଦୁଇ ନୂଆ ବିଚାରପତି, ବିଚାରପତିଙ୍କ ସଂଖ୍ୟା ହେଲା ୨୪; ଆହୁରି ୯ ପଦବି ଖାଲି

କଟକ : ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ଗୌରୀଶଙ୍କର ଶତପଥୀ ଓ ଜଷ୍ଟିସ ଚିତ୍ତରଂଜନ ଦାଶ ଶପଥ ଗ୍ରହଣ କରିଛନ୍ତି। ଶନିବାର ଦିନ ହାଇକୋର୍ଟ ନୂଆ କନଫରେନ୍ସ ହଲ୍‌ରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟ ବିଚାରପତି ଡକ୍ଟର ଜ‌ଷ୍ଟିସ ଏସ୍‌. ମୁରଲୀଧର ଦୁଇ ନୂଆ ବିଚାରପତିଙ୍କୁ ଶପଥପାଠ କରାଇଥିଲେ। ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ ଦେଓରଂଜନ ସିଂ ବିଚାରପତିଙ୍କ ନିଯୁକ୍ତି ସ˚ପର୍କିତ ଆଦେଶନାମା ପାଠ କରିଥିଲେ। ଏହି ଶପଥଗ୍ରହଣ ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତିଙ୍କ ସହିତ ପୁଲିସ ଡିଜି ସୁନୀଲ କୁମାର ବଂଶଲ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଡିସିପି ପିନାକ ମିଶ୍ର, ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ, ହାଇକୋର୍ଟ ବାର୍ ଆସୋସିଏସନ୍ ସଦସ୍ୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୨ ଜୁଲାଇ ୨୫ରେ ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ଦୁଇ ଜଣଙ୍କ ନାଁ ସୁପାରିସ କରିଥିଲା। ଏହାପରେ ଅଗଷ୍ଟ ୧୨ରେ ଜଷ୍ଟିସ ଗୌରୀଶଙ୍କର ଶତପଥୀ ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଥିବା ସଂକ୍ରାନ୍ତରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଜଷ୍ଟିସ ଶତପଥୀ ୧୯୭୨ ଏପ୍ରିଲ ୨୫ରେ ଜନ୍ମ ଗ୍ରହଣ କରିଥିଲେ। ସେ ୨୦୧୧ରେ ଜିଲ୍ଲା ଜଜ୍ କ୍ୟାଡରରେ ସିଧାସଳଖ ନିଯୁକ୍ତି ପାଇଥିଲେ। ସେ ଓଡ଼ିଶା ଜୁଡିସିଆଲ ଏକାଡେମିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାଁ ବିଚାରପତି ପଦ ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲା। ସେହିଭଳି ଜଷ୍ଟିସ ଦାଶ ୧୯୬୪ ନଭେମ୍ବର ୧୨ରେ ଜନ୍ମଗ୍ରହଣ କରିଥିବା ବେଳେ ୨୦୦୩ରେ ଆଡ୍-ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାଁ ବିଚାରପତି ପଦ ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲା। ଓଡ଼ିଶା ହାଇକୋର୍ଟର ମଞ୍ଜୁରିପ୍ରାପ୍ତ ବିଚାରପତି ସଂଖ୍ୟା ୩୩ ହୋଇଥିବା ବେଳେ ନୂଆ ଦୁଇ ବିଚାରପତିଙ୍କ ଶପଥ ଗ୍ରହଣ ପରେ ବିଚାରପତି ସଂଖ୍ୟା ୨୪ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର