ରାଉରକେଲା: ଦକ୍ଷିଣ ପୂର୍ବ ରେଳବାଇ ଜିଏମ୍‌ ଅନୀଲ କୁମାର ମିଶ୍ରା ଆଜି ରାଉରକେଲା ଷ୍ଟେସନରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାମ ନିରୀକ୍ଷଣ କରିଥିଲେ। ଷ୍ଟେସନରୁ ଆରମ୍ଭ କରି ୟାର୍ଡ ଓ ନନ୍‌ ଇଣ୍ଟରଳକିଂ କାର୍ଯ୍ୟର ତଦାରଖ କରିଥିଲେ। ଷ୍ଟେସନର ୬ ନଂ ଓ ୭ ନଂ ପ୍ଲାଟଫର୍ମ ନିର୍ମାଣ କାର୍ଯ୍ୟର ତଦାରଖ କରିବା ସହ ଏହି ମାସ ଶେଷ ସୁଦ୍ଧା ଶେଷ କରିବାକୁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ମିଶ୍ରା ଦୁଇଘଣ୍ଟା ରାଉରକେଲା ଷ୍ଟେସନ ଚାଲିଥିବା ନନ୍‌ ଇଣ୍ଟରଲକିଂ କାର୍ଯ୍ୟ ସହ ଯାତ୍ରୀମାନଙ୍କ ସୁବିଧା ରହିଥିବା ବ୍ୟବସ୍ଥା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଶ୍ରୀ ମିଶ୍ରା ସିଗ୍‌ନାଲ ବ୍ୟବସ୍ଥା, ଟ୍ରେକ ସର୍କିଟ, ଏକ୍ସଲ କାଉଣ୍ଟର ଏବଂ ଅନ୍ୟ ସିଗ୍‌ନାଲ ବ୍ୟବସ୍ଥାଗୁଡ଼ିକୁ ମଧ୍ୟ ନିରୀକ୍ଷଣ କରିଥିଲେ। ପରେ ବନ୍ଧମୁଣ୍ଡା ଏ କ୍ୟାବିନ୍‌ରେ ପହଞ୍ଚିଥିଲେ। ଡୁର୍ମେତା ଷ୍ଟେସନ ଏବଂ ଫୁଟ୍‌ ଓଭର ବ୍ରିଜ୍‌ କାମ ନିରୀକ୍ଷଣ କରିଥିଲେ। ବନ୍ଧମୁଣ୍ଡା ରେଳବାଇ ୟାର୍ଡରେ ପହଞ୍ଚିଥିଲେ। ସେଠାରେ ଆଦିବାସୀଙ୍କ ବିବାଦିତ ଜମି ଓ ଚତୁର୍ଥ ରେଳ ଲାଇନ ପାଇଁ ପ୍ରସ୍ତାବିତ ଜମି ନିରୀକ୍ଷଣ କରିଥିଲେ। ଶେଷରେ ଇଲେକ୍ଟ୍ରିକ୍‌ ସେଡ କାମ ତଦାରଖ କରିବା ସହ ବିାଭଗୀୟ ଅଧିକାରୀଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଏମ୍‌ ଶ୍ରୀ ମିଶ୍ରାଙ୍କ ସହ ଚକ୍ରଧରପୁର ଡିଆର୍‌ଏମ୍‌ ଏଜେ ରାଠୋର ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।