ଭୁବନେଶ୍ବର: ଓଡ଼ିଶାରେ ଦୁଇଟି ନୂଆ ରେଳ ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଘୋଷଣା କରିଛନ୍ତି। ଜଳେଶ୍ୱର-ଚନ୍ଦନେଶ୍ୱର ମଧ୍ୟରେ ୪୨ କିମି ରେଳ ଲାଇନ୍ ଏବଂ ନରସିଂହପୁର-କଣ୍ଟିଲୋ-ଖଣ୍ଡପଡ଼ା ମଧ୍ୟ ଦେଇ ଅନୁଗୁଳ-ନୟାଗଡ଼ ଟାଉନ ମଧ୍ୟରେ ନୂଆ ଲାଇନ ଏବଂ ଖୋର୍ଦ୍ଧା ଟାଉନ-କାଇପଦର ମଧ୍ୟରେ କର୍ଡ ଲାଇନ(୧୨୦କିମି) ରହିଛି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଦିଘା-ଜଳେଶ୍ୱର(ଚନ୍ଦନେଶ୍ୱର) ପ୍ରକଳ୍ପ ଫାଷ୍ଟ ଟ୍ରାକ ଆଧାରରେ ନିର୍ମାଣ କରାଯିବ। ଏଥିପାଇଁ ସ୍ୱୀକୃତି ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଖୁବ୍ଶୀଘ୍ର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଏହି ରେଳ ଲାଇନ୍ ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର, ଭୂଷଣ୍ଢେଶ୍ୱର ସହିତ ଜଳେଶ୍ୱର ଷ୍ଟେସନକୁ ସଂଯୋଗ କରିବ। ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, କୃଷକ, ବ୍ୟବସାୟୀ ଏହାଦ୍ୱାରା ଉପକୃତ ହେବେ। ଜଳେଶ୍ୱର ଓ ଭୋଗରାଇ ବ୍ଲକର ମତ୍ସ୍ୟ ଓ କୃଷିଜାତ ଦ୍ରବ୍ୟ ଉତ୍ପାଦନାକାରୀମାନେ ଉପକୃତ ହୋଇପାରିବେ। ଏଥିସହ ନରସିଂହପୁର-କଣ୍ଟିଲୋ-ଖଣ୍ଡପଡ଼ା ଦେଇ ଅନୁଗୁଳ-ନୟାଗଡ଼ ଟାଉନ ମଧ୍ୟରେ ନୂଆ ଲାଇନ ଏବଂ ଖୋର୍ଦ୍ଧା ଟାଉନ-କାଇପଦର ମଧ୍ୟରେ କର୍ଡ ଲାଇନ(୧୨୦କିମି)କୁ ସ୍ୱୀକୃତି ଦିଆଯାଇଛି। ଏହାଦ୍ବାରା କଣ୍ଟିଲୋ ନୀଳମାଧବ ମନ୍ଦିରକୁ ଟ୍ରେନ ସଂଯୋଗ ହୋଇପାରିବ। ବନ୍ୟଜନ୍ତୁ ଅଭୟାରଣ୍ୟ ଓ ସଂରକ୍ଷିତ ଜଙ୍ଗଲ ମାର୍ଗ ଦେଇ ଏହି ଟ୍ରେନ୍ ସଂଯୋଗ ହେବ। କଣ୍ଟିଲୋ ଓ ଖଣ୍ଡପଡ଼ାର କଂସା ପିତ୍ତଳ କାରୁକାର୍ଯ୍ୟ ପାଇଁ ବଜାର ସୃଷ୍ଟି ହେବା ସହ କୋଇଲା, ପାୱାର ପ୍ଲାଣ୍ଟ ଓ ପୋର୍ଟ ସହ ସଂଯୋଗ ହୋଇପାରିବ। ଏହି ପ୍ରସ୍ତାବିତ ରେଳ ଲାଇନ ବର୍ତ୍ତମାନ ଚାଲୁରହିଥିବା ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ଼ ଟାଉନଠାରେ ସଂଯୋଗ ହୋଇ ଖୋର୍ଦ୍ଧା ଟାଉନ-କାଇପଦର ନୂତନ କର୍ଡ ଲାଇନରେ ହାଓଡା-ଚେନ୍ନାଇ ମୁଖ୍ୟ ରେଳ ଲାଇନରେ ସଂଯୋଗ ହେବ।
ଓଡ଼ିଶାକୁ ଦୁଇଟି ନୂଆ ରେଳ ପ୍ରକଳ୍ପ: ଜଳେଶ୍ୱର-ଚନ୍ଦନେଶ୍ୱର ରେଳ ଲାଇନ୍କୁ ଅନୁମୋଦନ
ନରସିଂହପୁର-କଣ୍ଟିଲୋ-ଖଣ୍ଡପଡ଼ାକୁ ରେଳ ସଂଯୋଗ