ବଲାଙ୍ଗୀର ଓ କଳାହାଣ୍ଡିରେ ହେବ ସହବନ୍ଧିତ ବିଶ୍ବବିଦ୍ୟାଳୟ

ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନ କଲେଜଗୁଡ଼ିକ ହେବ ଭାଗ ଭାଗ

ଭୁବନେଶ୍ବର : ତିନି ଦଶନ୍ଧି ତଳେ ଓଡ଼ିଶାରେ ମାତ୍ର ୩ଟି ବିଶ୍ବବିଦ୍ୟାଳୟରେ ଥିଲା। ଉତ୍କଳ ସମେତ ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରହିଥିଲା। ଯେଉଁଥିପାଇଁ ପିଲାମାନେ ଉଚ୍ଚଶିକ୍ଷା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଇତିମଧ୍ୟରେ ସ୍ଥିତିରେ ବ୍ୟାପକ ପରିବର୍ତନ ଆସିଛି। ଓଡ଼ିଶାରେ ବିଶ୍ବବିଦ୍ୟାଳୟ ସଂଖ୍ୟା ୧୭ରେ ପହଞ୍ଚିଛି। ୧୧ଟି ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ହେଉଥିବା ବେଳେ ବାକି ୬ଟି ଘରୋଇ ବିଶ୍ବବିଦ୍ୟାଳୟ ରହିଛି। ଆଉ ଦୁଇଟି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇସାରିଛନ୍ତି। ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ସ୍ବୟଂଶାସିତ କଲେଜ ଓ କଳାହାଣ୍ଡିସ୍ଥିତ ଭବାନୀପାଟଣା ସ୍ବୟଂଶାସିତ କଲେଜକୁ ଏକକ ନୁହେଁ, ବରଂ ସହବନ୍ଧିତ ବିଶ୍ବବିଦ୍ୟାଳୟ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି।

ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ ପୂର୍ବ ଘୋଷଣା ଅନୁଯାୟୀ ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ଏହାକୁ ଏକକ ବିଶ୍ବବିଦ୍ୟାଳୟ କରିବାକୁ ଯୋଜନା ଥିଲା। ପରବର୍ତୀ ସମୟରେ ନିଷ୍ପତ୍ତିରେ ପରିବର୍ତନ କରାଯାଇଛି। ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ଥିବା କଲେଜଗୁଡ଼ିକୁ ଉକ୍ତ ଦୁଇ ନୂତନ ବିଶ୍ବବିଦ୍ୟାଳୟ ଅଧୀନକୁ ଅଣାଯିବ। ଏବେ ୧୦ଟି ଜିଲ୍ଲାର ୨୪୭ଟି କଲେଜ ରହିଛି। ଗୋଟିଏ ବିଶ୍ବବିଦ୍ୟାଳୟ ଅଧୀନରେ ଏତେ ସଂଖ୍ୟକ କଲେଜ ରହିବା ଦ୍ବାରା ପରିଚାଳନା ଠିକ୍‌ ଭାବେ ହୋଇପାରୁନି। ପରିସୀମା ବି ଅଧିକ ରହୁଛି। ତାହାକୁ ଦୃଷ୍ଟିରେ ରଖି ଉକ୍ତ ଦୁଇ ନୂତନ ବିଶ୍ବବିଦ୍ୟାଳୟକୁ ସହବନ୍ଧିତ କରିବାକୁ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଗି ପଠାଯାଇଛି। ଅନୁମତି ମିଳିବା ପରେ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ୨୦୨୦-୨୧ ଶିକ୍ଷାବର୍ଷରେ ପାଠପଢ଼ା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସର୍ବଭାରତୀୟସ୍ତରରେ ଓଡ଼ିଶାର ସରକାରୀ ବିଶ୍ବବିଦ୍ୟାଳୟ ‌ନୈରାଶ୍ୟଜନକ ପ୍ରଦର୍ଶନ ନେଇ ମନ୍ତ୍ରୀ କହିଛନ୍ତି ଯେ ଦେଶର ଶେଷ୍ଠ ଶହେ ରୢାଙ୍କରେ ସ୍ଥାନ ପାଉଥିବା ବିଶ୍ବବିଦ୍ୟାଳୟଗୁଡ଼ିକ ମଧ୍ୟରୁ ଅଧିକାଂଶ ସ୍ଥାନରେ ଏକ ନିର୍ଦିଷ୍ଟ ପାଠ୍ୟକ୍ରମରେ ଶିକ୍ଷା ଦିଆଯାଉଛି। ଯେତେବେଳେ କି ଆମ ବିଶ୍ବବିଦ୍ୟାଳୟଗୁଡ଼ିକରେ ସମସ୍ତ ବିଷୟରେ ଶିକ୍ଷା ଦିଆଯାଉଛି। ତେଣୁ ରୢାଙ୍କ ଭଲ ମିଳିପାରୁନି। ଆମେ ରୢାଙ୍କିଙ୍ଗ୍‌ ଅପେକ୍ଷା ଗବେଷଣା ସନ୍ଦର୍ଭ ପ୍ରକାଶ ଉପରେ ପ୍ରାଥମିକତା ଦେଉଛୁ। ବିଶ୍ବବିଦ୍ୟାଳୟଗୁଡ଼ିକରେ ବ୍ୟାପକ ଗବେଷଣା ଉପରେ ଗୁରୁତ୍ବ ଦିଆଯାଉଛି। ଆମ ପାଖରେ ଯେଉଁ ମାନବ ସମ୍ବଳ ରହିଛି, ସେମାନଙ୍କ ଦକ୍ଷତାର ବିକାଶ ପ୍ରଥମ ଲକ୍ଷ୍ୟ। କ’ଣ ପଦକ୍ଷେପ ନିଆଯାଇପାରିବ ସେଦିଗରେ ଆଲୋଚନା ହେଉଛି। ମ୍ୟା‌ନେଜମେଣ୍ଟକୁ ସୁଦୃଢ଼ କରିବା, ଅଭିଭାବକଙ୍କୁ କଲେଜ ସହ ଯୋଡ଼ିବା ଦିଗରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର