‌ଗୋଟିଏ ମଞ୍ଚରେ ଦୁଇ ଦୁର୍ଦ୍ଦାନ୍ତ ଖଳନାୟକ

‘ମଞ୍ଚ ମଞ୍ଜରୀ’ରେ ଯୋଗଦେଲେ ଦୈତ୍ୟାରି, କାହ୍ନା

ଭୁବନେଶ୍ବର : ଗୋଟିଏ ମଞ୍ଚ‌ରେ ଦେଖିବାକୁ ମିଳିବେ ଯାତ୍ରା ଜଗତର ଦୁଇ ଦୁର୍ଦ୍ଦାନ୍ତ ଖଳନାୟକ ଦୈତ୍ୟାରି ପଣ୍ଡା ଓ କାହ୍ନା। ୨୦ ବର୍ଷରୁ ଊର୍ଧ୍ବ ସମୟ ଧରି ଦୁଇ ଅଲଗା ଅଲଗା ପାର୍ଟ‌ିରେ ପରସ୍ପରର ବିପକ୍ଷରେ ରଣହୁଙ୍କାର ଦେଉଥିବା ଯାତ୍ରା ଜଗତର ଏହି ଦୁଇ ହେଭିୱେଟ୍‌ ଏବେ ‘ମଞ୍ଚ ମଞ୍ଜରୀ’ରେ ଯୋଗ ଦେଇଛନ୍ତି। ଖାଲି ସେତିକି ନୁହେଁ, ‘ମଞ୍ଚ ମଞ୍ଜରୀ’ର ପ୍ରଥମ ଯାତ୍ରା ‘ଯାଦୁକର’ର ରିହର୍ସାଲ ବି ଶେଷ ହୋଇଛି। ଏହାର ଦ୍ବିତୀୟ ନାଟକ ‘ଲାଞ୍ଜିଗଡ଼ର ଲାଲ୍‌ପାନ ବିବି’ର ପ୍ରସ୍ତୁ୍ତି ଆରମ୍ଭ ହୋଇଗଲାଣି। ସୂଚନାଯୋଗ୍ୟ, ପୂର୍ବରୁ ଦୈତ୍ୟାରି କୋଣାର୍କ ଓ କାହ୍ନା ଶିବାନୀ ଗଣନାଟ୍ୟ‌ର ମୁଖ୍ୟ ଖଳନାୟକ ଥିଲେ।

ଏ ସଂପର୍କ‌ରେ ଅଭିନେତା ଶ୍ରୀ ପଣ୍ଡା କହିଛନ୍ତି, କରୋନା ମହାମାରୀ ପରେ ଯାତ୍ରା ଜଗତରେ ନୂଆ ଯୁଗର ଆରମ୍ଭ ହୋଇଛି। ଖଳନାୟକ ଭୂମିକାରେ ମତେ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ଏବେ ମୁଁ ଚରିତ୍ର ଅଭିନୟ କରିବା ଆରମ୍ଭ କରିଛି। ଏଥିରେ ବି ଦର୍ଶକ ମୋ‌‌ତେ ପସନ୍ଦ କରୁଛନ୍ତି। ‘ମଞ୍ଚ ମଞ୍ଜରୀ’ର ପ୍ରଥମ ଯାତ୍ରା ‘ଯାଦୁକର’ ରିହର୍ସାଲ ଶେଷ ହୋଇଛି। ଏଥିରେ ମୁଁ ଏକ ଦମ୍‌ଦାର୍‌ ଚରିତ୍ରରେ ନଜର ଆସିବି। କାହ୍ନା ଏଥିରେ ଖଳନାୟକ ଭୂମିକାରେ ନଜର ଆସିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

କୋଣାର୍କ ଗଣନାଟ୍ୟ ସହ ୨୨ବର୍ଷର ସଂପର୍କରେ ପୂର୍ଣ୍ଣଚ୍ଛେଦ ପକାଇ କେବଳ ଦୈତ୍ୟାରି ନୁହନ୍ତି, ତାଙ୍କ ସାନ ଭାଇ ବାବୁଲି, ଭାଇବୋହୂ ତୃପ୍ତି ଏବଂ ଶିବାନୀ ଗଣନାଟ୍ୟର କାହ୍ନା‌ଙ୍କ ସହ ଟିକି ‘ମଞ୍ଚ ମଞ୍ଜରୀ’ରେ ଯୋଗ ଦେଇଛନ୍ତି। ଏମାନଙ୍କ ବ୍ୟତୀତ ଯାତ୍ରା କଳାକାର ସୁରଜ, ମିନୁ, ରାଧା ଓ ଜୟନ୍ତୀ ପ୍ରମୁଖ ମଞ୍ଚ ମଞ୍ଜରୀରେ ଯୋଗ ଦେଇଛନ୍ତି। ଗୋଟିଏ ପାର୍ଟିରେ ଯାତ୍ରାଜଗତର ପ୍ରାୟ ସବୁ ହେଭିୱେଟ୍‌ କଳାକାର ଯୋଗ ଦେଇଥିବା ବେଳେ ନିର୍ମାତାମାନେ କାହାକୁ କେଉଁ ଭୂମିକାରେ ଅବତ୍ତୀର୍ଣ୍ଣ କରାଉଛନ୍ତି, ତାହା ଦେଖିବାକୁ ରହିଲା।

ସମ୍ବନ୍ଧିତ ଖବର