ଓଡ଼ିଶାର ତିନି ଗାଁରେ ଆନ୍ଧ୍ରର ନିର୍ବାଚନ; ନାମାଙ୍କନପତ୍ର ଦାଖଲ କଲେ ଦୁଇ ପ୍ରତିନିଧି, ମୁହଁ ଖୋଲିଲାନି  ପ୍ରଶାସନ

କୋରାପୁଟ: ଓଡ଼ିଶାର ତିନିଟି ଗାଁରେ ଆନ୍ଧ୍ରପ୍ରଦେଶ ସରକାର ଗ୍ରାମପଂଚାୟତ ନିର୍ବାଚନ କରୁଛି। ଏହି ନିର୍ବାଚନ ପାଇଁ ଆଜି ୨ ଜଣ ପ୍ରତିନିଧି ନାମାଙ୍କନପତ୍ର ଦାଖଲ କରିଥିବା ଜଣାଯାଇଛି। ନାମାଙ୍କନ କରିଥିବା ବ୍ୟକ୍ତିମାନେ ହେଲେ ତଳଗଞ୍ଜ‌େଇପଦର ବିଶ୍ବନାଥ ଗେମେଲ ଓ ସିଦ୍ଧେଶ୍ବର ଗ‌େମେଲ। ଗତକାଲି ଠାରୁ ଏହି ଘଟଣା ଗଣମାଧ୍ୟମରେ ବାରାମ୍ବାର ଚର୍ଚ୍ଚା ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନ ମୁହଁ ଖୋଲି ନଥିବା ଜଣାଯାଇଛି। କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଗଣମାଧ୍ୟମ ଠାରୁ ଦୂରେଇ ରହୁଥିବାବେଳେ ରାଜ୍ୟସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ସିଦ୍ଧେଶ୍ବର କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଅଧୀନସ୍ଥ କୋଟିଆ ପଞ୍ଚାୟତରୁ ନିର୍ବାଚନ ଲଢିଥିଲେ। ୨୦୧୭ ନିର୍ବାଚନ ପୁର୍ବରୁ ସେ ଏହି ପଞ୍ଚାୟତର ସରପଞ୍ଚ  ରହିଥିଲେ। ସେହିପରି ବିଶ୍ବନାଥ ଏବେ ସରପଞ୍ଚ ପ୍ରାର୍ଥୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ପୂର୍ବରୁ ସେ ମଧ୍ୟ କୁରକୁଟି ପଞ୍ଚାୟତରେ ସରପଞ୍ଚ ଥିଲେ। ଆନ୍ଧ୍ର ସରକାର କିନ୍ତୁ କିଛି ଗାଁକୁ ମିଶାଇ ତଳଗଞ୍ଜ‌େଇପଦର(ଗଞ୍ଜ‌େଇବାଦରା)କୁ ଗ୍ରାମପଞ୍ଚାୟତ ଭାବେ ଘୋଷଣା କରିଛି।

ତେବେ ସବୁଠୁ ବଡ କଥା ହେଲା ବିଶ୍ବନାଥଙ୍କ ମା’ ସନାଇ ଗେମେଲ ଏବେ କୋଟିଆର ସରପଞ୍ଚ ରହିଛନ୍ତି। ଉଭୟ ଓଡ଼ିଶା ଓ ଆନ୍ଧ୍ର ପଟୁ ସୁବିଧା ପାଉଥିବାରୁ ଲୋଭରେ ପଡି କୋଟିଆର ଲୋକେ ନିର୍ବାଚନ ଲଢୁଥିବା ଜଣାପଡିଛି। ତେବେ ପୂର୍ବରୁ ଏହି ଅଞ୍ଚଳରେ ନିର୍ବାଚନ ହେଉ ନ ଥିଲେ ମଧ୍ୟ ବିପକ୍ଷ ଦଳପକ୍ଷରୁ କୌଣସି ପ୍ରତିଦ୍ବନ୍ଦି ରହୁ ନ ଥିବାରୁ ନିଦ୍ବନ୍ଦରେ ପ୍ରାର୍ଥୀ ଚୟନ ହେଉଥିଲା। ଏବେ ରାଜ୍ୟରେ ରହିଥିବା ତେଲଗୁ ଦେଶମ ପାର୍ଟି ଓ ୱାଇଏସଆର କଂଗ୍ରେସ ସମର୍ଥିତ ପ୍ରାର୍ଥୀ ନିର୍ବାଚନ ଲଢୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର