ହାଇଦ୍ରାବାଦରେ ଦାଦନ ଶ୍ରମିକ ସଂଘର୍ଷ ଘଟଣାରେ ଆଉ ଜଣେ ମୃତ, ସଂଖ୍ୟା ଦୁଇ

ପାତ୍ରପୁର: ଆନ୍ଧ୍ରପ୍ରଦେଶ ହାଇଦ୍ରାବାଦ୍‌ର ନାଗରପଲ୍ଲୀ ଅଞ୍ଚଳର ଏକ ଭଡ଼ାଘରୁ ଗତ ୫ ତାରିଖରେ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ଶବକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହାସହ ତିନିଜଣଙ୍କୁ ରକ୍ତାକ୍ତ ଏବଂ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତନ୍ମଧ୍ୟରୁ ଜଣେ ଶ୍ରମିକ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ମୃତକଜଣକ ହେଲେ, ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ତୁରୁବୁଡ଼ି ପଞ୍ଚାୟତ ଝଗଡାପଲ୍ଲୀ ଗ୍ରାମର ଅଭି ଦଳେଇ। ଅନ୍ୟ ଦୁଇଜଣ ଡାକ୍ତରଖାନାରେ ଏବେବି ଚିକିତ୍ସିତ ହେଉଛନ୍ତି। ତେବେ ଅଭିଙ୍କ ମୃତ୍ୟୁ ଖବର ପ୍ରଚାର ହେବା କ୍ଷଣି ଶୋକର ଛାୟା ଖେଳିଯାଇଛି।

ହାଇଦ୍ରାବାଦରେ ହିଁ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି। ଗ୍ରୁପ୍ ଅର୍ଥ କାରବାରରୁ ସେମାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିବା ସେଠାକାର ପୁଲିସ ଅନୁମାନ କରୁଛି। ଏହାସହ ଉକ୍ତଘର ମଧ୍ୟରୁ ଏକ ରକ୍ତଲଗା କାଠପିଢ଼ା ଜବତ ହୋଇଛି। ଅନ୍ୟ ଦୁଇଜଣ ଶ୍ରମିକ ସୁସ୍ଥ ହେବା ପରେ ହିଁ ରହସ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ମିଳିଛି। ପାତ୍ରପୁର ବ୍ଲକ୍‌ ଝଗଡ଼ାପଲ୍ଲୀ ଗ୍ରାମର ବିଶ୍ବନାଥ ଦଳେଇ, ଅଭି ଦଳେଇ, ନିରଞ୍ଜନ ଦଳେଇ ଓ ଦିଗପହଣ୍ଡି ବ୍ଲକ୍‌ ପିମ୍ପଳାପଲ୍ଲୀ ଗ୍ରାମର ଟୁକୁନା ଶବର ଦାଦନ ଭାବେ ହାଇଦ୍ରାବାଦ୍‌ର ବିଡ଼ିଏଲ ବାନୁରଥାନା ଅଞ୍ଚଳରେ ଏକ ଭଡ଼ାଘରେ ରହୁଥିଲେ। ଗତ ୫ ତାରିଖରେ ଭଡ଼ାଘରୁ ବିଶ୍ବନାଥଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ତିନିଜଣଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତେବେ ଓସମାନିଆ ଡାକ୍ତରଖାନାରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଅଭିଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇଜଣଙ୍କ ଚିକିତ୍ସା ଜାରି ରହିଛି। କାଠପିଢ଼ା ସାହାଯ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର