ସାଉଦି ଆରବରେ କରୋନା ନେଲା ୨ ଓଡ଼ିଆଙ୍କ ପ୍ରାଣ

ପଟ୍ଟାମୁଣ୍ତାଇ : ସାଉଦି ଆରବର ବିଭିନ୍ନ ସ୍ଥାନରେ ପାଣି ପାଇପ୍ କାମ କରୁଥିବା କେନ୍ଦ୍ରାପଡା ଅଞ୍ଚଳର ଦୁଇ ଜଣ ଯୁବକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଦୁଇ ଯୁବକଙ୍କ ଘର ପଟ୍ଟାମୁଣ୍ଡାଇ ଅଞ୍ଚଳ‌େର।

ମିଳିଥିବା ସୂଚନା ଅନୁସାରେ, ୨ ଯୁବକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପଟ୍ଟାମୁଣ୍ତାଇ ବ୍ଲକ୍‌ ଚନ୍ଦନନଗର ପଞ୍ଚାୟତ ଗୋପିରା ଗ୍ରାମର ମହେନ୍ଦ୍ର କୁମାର ନାଥ(୩୬)। ସେ ଆବୁଧାବିରେ ୧୪ ବର୍ଷ ହେଲା ପାଣି ପାଇପ୍‌ କାରିଗର ଭାବେ ଏକ ଘରୋଇ କଂପାନିରେ କାମ କରି ଆସୁଥିଲେ। ପତ୍ନୀ ଓ ୬ ବର୍ଷର ଝିଅ ସହ ସେଠାରେ ରହୁଥିଲେ। କିନ୍ତୁ ୬ ସପ୍ତାହ ତଳେ ସେ ସେ ତାଙ୍କ ପତ୍ନୀ ଓ ଝିଅଙ୍କୁ ଆଣି ଗାଁରେ ଛାଡ଼ି ଆବୁଧାବି ଫେରି ଯାଇଥିଲେ। ସେ ସେଠାରେ ଏକା ରହୁଥିବା ବେଳେ ଦୁଇ ସପ୍ତାହ ତଳେ ତାଙ୍କୁ ଜ୍ବର ସହ କାଶ ଲାଗି ରହିଥିଲା। ଜ୍ବର ଭଲ ନ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସ୍ବାବ୍‌ ପରୀକ୍ଷା ପରେ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିବା କଂପାନି ପକ୍ଷରୁ ସୂଚନା ଦିଆଯାଇଛି।

ସେହିଭଳି, ୧୪ ଦିନ ତଳେ ଦୁବାଇରେ କରୋନାରେ ଆକ୍ରାନ୍ତ ହୋଇ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ୧୦ ନମ୍ବର ୱାର୍ଡର ବାବାଜୀ ସେଠୀ (୩୫) ପ୍ରାଣ ହରାଇଛନ୍ତି। ସେ ୩ ବର୍ଷ ହେଲା ଦୁବାଇ ଯାଇ ସେଠାରେ ପାଣି ପାଇପ୍ ମିସ୍ତ୍ରି ଭାବେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧିତ ଖବର