ସାଇବର ଅପରାଧୀ ଗ୍ୟାଙ୍ଗ୍‌ରେ ୨ ଓଡ଼ିଆ

ଶିକ୍ଷକଙ୍କୁ ଠକେଇ ପରେ ଧମକ, ବ୍ୟାଙ୍କ ଅଫିସର କହି ୪ ଦିନରେ ୪ ଜଣଙ୍କୁ ଠକେଇ

କଟକ : ସାଇବର୍ ଠକେଇ ମାମଲାରେ ସଂପୃକ୍ତ ଅଛନ୍ତି ଦୁଇ ଓଡ଼ିଆ ଯୁବକ। କନ୍ଦରପୁର ଅଞ୍ଚଳର ଜଣେ ଶିକ୍ଷକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨୫ ହଜାର ୮୦୦ ଟଙ୍କା ଠକେଇ ପରେ ଏଭଳି ତଥ୍ୟ ଏବେ ସାମ୍‌ନାକୁ ଆସିଛି। କଟକ-ଖୋର୍ଦ୍ଧା ଜିଲ୍ଲା ସୀମାରେ ଥିବା କଳାପଥର ଅଞ୍ଚଳର ଦୁଇ ଯୁବକ ଏହି ଠକେଇରେ ସମ୍ପୃକ୍ତ ଅଛନ୍ତି। ତାଙ୍କ ସହିତ ବାଲେଶ୍ବର ଜଳେଶ୍ବରର ସୀମାକୁ ଲାଗିଥିବା ପଶ୍ଚିମବଙ୍ଗର ମୋହନପୁର ଅଞ୍ଚଳର ଜଣେ ଯୁବକ ଓ ଅନ୍ୟ ଜଣେ ଉତ୍ତରାଖଣ୍ଡର ବୋଲି ଜଣାପଡ଼ିଛି। ତେବେ ପ୍ରଥମ ଥର ପାଇଁ ଅନ୍ତରାଜ୍ୟ ସାଇବର୍ ଅପରାଧୀ ଗ୍ୟାଙ୍ଗରେ ଓଡ଼ିଆ ଯୁବକଙ୍କ ସମ୍ପୃକ୍ତିକୁ ନେଇ ପୁଲିସର ଚିନ୍ତା ବଢ଼ିଯାଇଛି।

ସୂଚନା ଅନୁଯାୟୀ, କନ୍ଦରପୁର ଅଞ୍ଚଳର ଏକ ସ୍କୁଲର ପ୍ରଧାନଶିକ୍ଷକ ଗଲା ୨ ତାରିଖରେ ଗୁଗୁଲ ପେରେ ତାଙ୍କ ପୁଅଙ୍କ ନିକଟକୁ ୩୦ ହଜାର ଟଙ୍କା ପଠାଇଥିଲେ। କିନ୍ତୁ ଏହି ଟଙ୍କା ତାଙ୍କ ପୁଅଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚି ନଥିଲା। ସମ୍ପୃକ୍ତ ଶିକ୍ଷକ ଅନଲାଇନରେ ଗୁଗୁଲ ପେ କଷ୍ଟମର କେୟାର ନମ୍ବର ସଂଗ୍ରହ କରିଥିଲେ। ଯେଉଁ ନମ୍ବର କୁ ସେ ଅନଲାଇନରେ ସଂଗ୍ରହ କରିଥିଲେ। ତାହା କିନ୍ତୁ ସାଇବର୍ ଅପରାଧୀଙ୍କ ନମ୍ବର ଥିଲା। ସେଦିନ ସନ୍ଧ୍ୟା ପ୍ରାୟ ୬ଟା ୩୦ ବେଳେ କଷ୍ଟମର କେୟାର ପରିଚୟ ଦେଇଥିବା ବ୍ୟକ୍ତି ଜଣକ ଶିକ୍ଷକଙ୍କୁ ନିଜ ମୋବାଇଲରେ ଏନି ଡେସ୍କ ଆପ୍ଲିକେସନ୍ ଡାଉନଲୋଡ୍ କରିବାକୁ କହିଥିଲା। ଶିକ୍ଷକ ଫୋନରେ ଡାଉନଲୋଡ୍ କରିବାପରେ କଷ୍ଟମର କେୟାର ପରିଚୟ ଦେଇଥିବା ସାଇବର୍ ଅପରାଧୀ ଶିକ୍ଷକଙ୍କ ନିକଟକୁ ଏକ ୯ ଅଙ୍କ ବିଶିଷ୍ଟ ଓଟିପି ନମ୍ବର ପଠାଇଥିଲା। ଶିକ୍ଷକ ଏହି ଓଟିପି କହିବା ପରେ ଡେସ୍କ ଆପ୍ଲିକେସନ୍ ମାଧ୍ୟମରେ ଅପରାଧୀ ଆକାଉଣ୍ଟକୁ ନିଜ ନିୟନ୍ତ୍ରଣକୁ ନେଇ ମାତ୍ର ଦୁଇ ମିନିଟ୍‌ ଭିତରେ ୪ଟି ପର୍ଯ୍ୟାୟରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ୍ କରି ନେଇଥିଲା। ଟଙ୍କା ହଡ଼ପ୍ ହେବାର ଏକ ଘଣ୍ଟା ପରେ ଜଣେ ଯୁବକ ଫୋନ୍ କରି ହିନ୍ଦୀରେ କଥା ହୋଇଥିଲା। ସେ ଉତ୍ତରାଖଣ୍ଡ ଅଞ୍ଚଳର ବୋଲି ଜଣାପଡ଼ିଛି। ଦ୍ବିତୀୟରେ ଫୋନ୍ କରିଥିବା ଦୁଇ ଓଡ଼ିଆ କଳାପଥର ଅଞ୍ଚଳର ଥିଲେ। ସେମାନେ ନିଜକୁ ଏସବିଆଇ କଷ୍ଟମର କେୟାର ଅଧିକାରୀ ପରିଚୟ ଦେଇ ନିର୍ଦ୍ଦିଷ୍ଟ ଭାବେ କେତେ ଟଙ୍କା ହଡ଼ପ ହୋଇଛି, ସେ ସମ୍ପର୍କରେ ପଚାରି ଥିଲେ। ୩ ତାରିଖରେ ପଶ୍ଚିମବଙ୍ଗରୁ ଫୋନ୍ କରିଥିବା ଯୁବକ ଶିକ୍ଷକଙ୍କୁ ଧମକ ଦେଇଥିଲା। ଠକେଇ ସମ୍ପର୍କରେ ଥାନାରେ ଏତଲା ଦେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଶିକ୍ଷକଙ୍କୁ ଚେତାବନୀ ବି ଦେଇଛି। ଏ ସମ୍ପର୍କରେ ଶିକ୍ଷକ ଜଣକ ସାଇବର୍ ଥାନାର ଦ୍ବାରସ୍ଥ ହୋଇଛନ୍ତି।

ସେହିଭଳି କଟକ ଜିଆରପିର ଜଣେ ପୁଲିସ କର୍ମଚାରୀଙ୍କୁ ଗଲା ଦୁଇଦିନ ତଳେ ଏସବିଆଇ କ୍ରେଡିଟ୍ କାର୍ଡ କଷ୍ଟମର କେୟାର ସାଇବର୍ ଅପରାଧୀ ଫୋନ୍ କରିଥିଲା। ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ କ୍ରେଡିଟ୍ କାର୍ଡ ଲିମିଟ୍ ୫୦ ହଜାର ବଦଳରେ ୨ ଲକ୍ଷ ଟଙ୍କା ହୋଇଥିବା କହିଥିଲା। ପରେ ଏନି ଡେସ୍କ ଆପ୍ଲିକେସନ୍ ମୋବାଇଲରେ ଡାଉନଲୋଡ୍ କରିବାକୁ କହିଥିଲା। ଏଭଳି କୌଶଳରେ ୪୯ ହଜାର ଟଙ୍କା ହଡ଼ପ ହୋଇଛି। ମହାନଦୀବିହାର ଓ ସିଆରଆରଆଇରୁ ଦୁଇ ଜଣ ବ୍ୟକ୍ତିଙ୍କ ୧ ଲକ୍ଷ ୭୨ ହଜାର ଟଙ୍କା ହଡ଼ପ ହୋଇଛି। ଗଲା ୪ ଦିନ ଭିତରେ ପାଖାପାଖି ୨ ଲକ୍ଷ ୪୬ ହଜାର ଟଙ୍କା ହଡ଼ପ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର