ତାମିଲନାଡୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଦାଦନ ଖଟିବାକୁ ଯାଇଥିବା ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ୧ଗୁରୁତର

ହରଭଙ୍ଗା: ତାମିଲନାଡୁ ରାଜ୍ୟର ତିରୁଚିରାପଲ୍ଲୀ ଅଞ୍ଚଳରେ ଗତ ଗୁରୁବାର ଘଟିଯାଇଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରୁ ଦାଦନ ଖଟିବାକୁ ଯାଇଥିବା ୨ଶ୍ରମିକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ମୃତକ ମାନେ ହେଲେ ଲୁଣିବାହାଲ ପଞ୍ଚାୟତ ବଘୁଆକଟା ଗ୍ରାମର ଜୟ ଭୋକ୍ତା(୩୩) ଏବଂ ତିଲେଶ୍ଵର ପଞ୍ଚାୟତ ଜିରାଡ଼ ଗ୍ରାମର ଅଙ୍ଗଦ ପ୍ରଧାନ (୨୫)। ଗୁରୁତର ଆହତ ଜଣକ ହେଲେ ସାମ୍ପୋଚ ପଂଚାୟତ ବରଝୁଲି ସନନ୍ଦ ଭୋଇ (୨୬)।

ଏ ଖବର ପାଇବା ପରେ ମୃତକଙ୍କ ଅଭାବି ପରିବାରର ସଦସ୍ୟମାନେ ସେମାନଙ୍କର ମୃତଦେହ କିପରି ଗାଁକୁ ଫେରିବ ଏ ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଗୁହାରୀ କରିଥିବା ବେଳେ ସେମାନଙ୍କୁ ଦାଦନ ଖଟିବା ପାଇଁ ପଠାଇଥିବା ସ୍ଥାନୀୟ ଜଣେ ଦାଦନ ସର୍ଦାର ଗତକାଲିଠାରୁ କୁଆଡେ ଫେରାର ମାରିଥିବା ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଏ ସମ୍ପର୍କରେ ବୌଦ୍ଧ ଡିଏଲଓ ଅତିରିକ୍ତ ଦାଇତ୍ୱରେ ଥିବା କନ୍ଧମାଳ ଡିଏଲଓ ତେଜ କୁମାର ଵାଗ୍ଗେଙ୍କ ପ୍ରତିକ୍ରିୟା ନେବାରୁ ସେ ଆଜି ଘଟଣା ସମ୍ପର୍କରେ ସେମାନଙ୍କ ପରିବାର ଲୋକଙ୍କଠୁ ଜାଣିବା ପରେ ଆମର ରୁରଲ ଲେବର ଇନ୍ସପେକ୍ଟର କନ୍ୟା କୁଆରୀ ସାହୁ ମୃତକଙ୍କ ଗ୍ରାମକୁ ଯାଇ ତଦନ୍ତ କରି ଫେରିଛନ୍ତି।

ସେହିପରି ଆମେ ସେମାନେ କାମ କରୁଥିବା ତାମିଲନାଡୁର ତୀର୍ଚି ସ୍ଥିତ ସୃତି ହୋମସ ଏଣ୍ଡ ଶେଭିଂ ବ୍ଲକ ପ୍ରାଇଭେଟ ଲିଂ ନାମକ କମ୍ପାନିର ଏମଡିଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା କରିବାରୁ ସେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କର ମୃତଦେହକୁ ଘରକୁ ପଠାଇବାର ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିଥିଲେ। ପ୍ରାପ୍ତ ସୂଚନା ମତେ ଗୁରୁବାର ଦିନ ଅପରାହ୍ନରେ ଏକ ୪୦୭ ଟ୍ରକରେ ଟାଇଲ ଇଟା ନେଇ ଡ୍ରାଇଭର ଭାବେ ଅଙ୍ଗଦ ଏବଂ ଶ୍ରମିକ ଭାବେ ଜୟ ଓ ସନନ୍ଦ ଯାଇଥିବା ଚେନ୍ନାଇ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ହାଇୱା ଟିପ୍ପର କୁ ପଛପଟୁ ଧକ୍କା ହେଇଥିଲା।ଫଳରେ ଘଟଣା ସ୍ଥଳରେ ହିଁ ଅଙ୍ଗଦ ଏବଂ ଜୟର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ସନନ୍ଦ କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ତେବେ ସେମାନଙ୍କ ଘରକୁ ମୃତଦେହ କେବେ ଫେରିବ ଓ ବେଆଇନ ଭାବେ ସେମାନଙ୍କୁ ଦାଦନ ଚାଲାଣ କରିଥିବା ସର୍ଦାର ବିରୁଦ୍ଧରେ ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ନେଇଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର