ସୋରଡ଼ା : ଗଞ୍ଜାମ ଜିଲ୍ଲାରେ ଦାଦନ ଯନ୍ତ୍ରଣା ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ବୁଧବାର ଦିନ କେରଳରେ କାମ କରୁଥିବା ଦୁଇ ଓଡ଼ିଆ ଯୁବ ଶ୍ରମିକ କୋଠାର ସ୍ଲାବ୍ ଭୁଶୁଡ଼ି ପଡ଼ିବାରୁ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ, ସୋରଡ଼ା ବ୍ଲକ୍ ତଥା ବଡ଼ଗଡ଼ ଥାନା ଅଧୀନ ଏକଲପୁର ଗ୍ରାମର କନ୍ତାରୁ ନାୟକଙ୍କ ପୁଅ ସୁଶାନ୍ତ ନାୟକ (୩୫) ଓ କୁସୁମଗାଡ଼ିଆ ଗ୍ରାମର ବିଶୁ ନାୟକଙ୍କ ପୁଅ ଶଙ୍କର ନାୟକ (୨୮)।
ସୁଶାନ୍ତ ଓ ଶଙ୍କର କେରଳ ରାଜ୍ୟର ମରାଡ଼ୁରେ ଶ୍ରମିକ ଭାବେ କାମ କରୁଥିଲେ। ବୁଧବାର ସକାଳ ୯ଟାରେ ସେଠାରେ ଏକ ପୁରୁଣା କୋଠାକୁ ଭଙ୍ଗାଯାଉଥିବା ବେଳେ ଉଭୟ କାମରେ ନିୟୋଜିତ ହୋଇଥିଲେ। ଏହିସମୟରେ କୋଠାର ଏକ ସ୍ଲାବ୍ ଭୁଶୁଡ଼ି ପଡ଼ିବାରୁ ସେମାନେ ଚାପି ହୋଇ ରହିଯାଇଥିଲେ। ସେଠାକାର ପୁଲିସ ଓ ଅଗ୍ନିଶମବାହିନୀ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାର ହେବା କ୍ଷଣି ଦୁଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ଅଭାବ ଅନଟନ ଭିତରେ ଚଳୁଥିବା ପରିବାରର ପ୍ରତିପୋଷଣ କରବାକୁ ଦୁହେଁ ଘରୁ ପାଦ କାଢ଼ିଥିଲେ। ହେଲେ, ସେମାନଙ୍କ ମୃତ୍ୟୁ ଖବର ପରିବାର ଉପରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ଦେଇଛି। ମୃତ ସୁଶାନ୍ତଙ୍କ ପତ୍ନୀ ଓ ୪ ସନ୍ତାନ ଥିବାବେଳେ ସେମାନେ ସଂପୂର୍ଣ୍ଣ ଭାବେ ବେସାହରା ପାଲଟିଛି। ସେହିପରି ଶଙ୍କର ଅବିବାହିତ ଥିବାବେଳେ ପରିବାରର ଦାୟିତ୍ବ ଭାର ସେ ମୁଣ୍ଡାଇଥିଲେ। ଉଭୟଙ୍କ ଶବକୁ ଗ୍ରାମକୁ ଆଣିବା ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ପରିବାରବର୍ଗ ନିବେଦନ କରିଛନ୍ତି। ବ୍ୟବଚ୍ଛେଦ ପରେ ଶବ ସେଠାକାର ଡାକ୍ତରଖାନାରେ ରଖାଯାଇଛି।