ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ: ଛାତ୍ର ଜୀବନରୁ ଏବିଭିପିରେ ସାମିଲ ହେବା ସହ ଛାତ୍ର ରାଜନୀତିରେ ଧର୍ମେନ୍ଦ୍ର ପ୍ରଧାନ ବେଶ୍‌ ସକ୍ରିୟ ଥିଲେ। ସେ ତାଳଚେର କଲେଜର ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହାରେ ମାତ୍ର ୩୧ ବର୍ଷ ବୟସରେ ପାଲଲହଡ଼ାରୁ ଓଡ଼ିଶା ବିଧାନସଭାକୁ ଶ୍ରୀ ପ୍ରଧାନ ନିର୍ବାଚିତ ହୋଇଥିଲେ। ୨୦୦୦ରୁ ୨୦୦୪ ମଧ୍ୟରେ ବିଧାନସଭାରେ ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ଶ୍ରେଷ୍ଠ ବିଧାୟକ ସମ୍ମାନ ଉତ୍କଳମଣି ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ୨୦୦୪ରେ ସେ ଦେବଗଡ଼ ଲୋକସଭା ନିର୍ବାଚନମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ଲୋକସଭା ନିର୍ବାଚନ ଲଢ଼ି ହାରିଯାଇଥିଲେ। ତେବେ ବିଜେପିର ଜାତୀୟ ରାଜନୀତିରେ ଶ୍ରୀ ପ୍ରଧାନ ବେଶ୍‌ ପ୍ରଭାବ ରଖି ଆସିଛନ୍ତି। ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ, ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଓ ଦୁଇ ଥର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ସେ ନିଜ ସାଂଗଠନିକ ଦକ୍ଷତା ପ୍ରତିପାଦିତ କରିଛନ୍ତି। ବିଭିନ୍ନ ସମୟରେ ସେ ବିହାର, କର୍ଣ୍ଣାଟକ, ଛତିଶଗଡ଼, ଝାଡ଼ଖଣ୍ଡ ଓ ଉତ୍ତରାଖଣ୍ଡ ଆଦି ରାଜ୍ୟରେ ବିଜେପି ପକ୍ଷରୁ ନିର୍ବାଚନ ପରିଚାଳନା ଦାୟିତ୍ବ ‌େନଇଛନ୍ତି। ଗତ ଗୁଜୁରାଟ ବିଧାନସଭା ନିର୍ବାଚନ ସମୟରେ ସେ ସୁରଟ ପରି ବ୍ୟବସାୟିକ ଅଞ୍ଚଳରେ ନିର୍ବାଚନ ପରିଚାଳନାର ଦାୟିତ୍ବ ନେଇ ଦଳକୁ ବେଶ୍‌ ସଫଳତା ଦେଇଥିଲେ। ଶ୍ରୀ ପ୍ରଧାନ ପ୍ରଥମ ଓଡ଼ିଆ ଭାବେ ବାହାର ରାଜ୍ୟରୁ ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ୨୦୧୨ ମସିହାରେ ସେ ପ୍ରଥମେ ବିହାରରୁ ଓ ୨୦୧୮ ମସିହାରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପାଳିରେ ଶ୍ରୀ ପ୍ରଧାନ ପ୍ରଥମେ ରାଷ୍ଟ୍ର ମନ୍ତ୍ରୀ ଓ ପରେ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିଲେ। ପେଟ୍ରୋଲିୟମ୍ ଏବଂ ଦକ୍ଷତା‌ ବିକାଶ ପରି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ତାଙ୍କୁ ଦିଆଯାଇଥିଲା। ମୋଦୀଙ୍କ ଦ୍ବିତୀୟ ପାଳିରେ ଶ୍ରୀ ପ୍ରଧାନ ତାଙ୍କ ପଦବି ବଜାୟ ରଖିଛନ୍ତି।

ପ୍ରତାପ ଷଡ଼ଙ୍ଗୀ: ରାଜ୍ୟ ରାଜନୀତିର ଜଣେ ଚର୍ଚ୍ଚିତ ନେତା ହେଲେ ପ୍ରତାପ ଷଡ଼ଙ୍ଗୀ। ନିଜର ସରଳ ଓ ନିରାଡ଼ମ୍ବର ଜୀବନ ଶୈଳୀ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ନୀଳଗିରି ବିଧାନସଭା ଆସନରୁ ସେ ୨୦୦୪ ମସିହାରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ରେ ମଧ୍ୟ ସେଠାରୁ ପୁନର୍ବାର ବିଧାନସଭାକୁ ପ୍ରତିନିଧିତ୍ବ କଲେ। ୨୦୧୪ରେ ସେ ବିଜେପି ପ୍ରାର୍ଥୀ ଭାବେ ‌ବାଲେଶ୍ବରରୁ ଲଢ଼ି ହାରିଯାଇଥିଲେ। ତେବେ ୨୦୧୯ରେ ସେ ପୁନର୍ବାର ‌ଏଠାରୁ ଲୋକସଭା ଆସନରୁ ଲଢ଼ି ଜିତିଛନ୍ତି। ବିଜେପି ଓ କଂଗ୍ରେସର ଦୁଇ ଜଣ ଧନୀ ପ୍ରାର୍ଥୀଙ୍କୁ ହରାଇଥିବାରୁ ଶ୍ରୀ ଷଡ଼ଙ୍ଗୀ ସର୍ବାଧିକ ଚର୍ଚ୍ଚାରେ ରହିଥିଲେ। ତାଙ୍କର ଚାଲଛପର ଘର, ଗାଁ ଦାଣ୍ଡରେ ଥିବା ନଳକୂପ ପାଖରେ ଗାଧୋଇବା, ସାଇକେଲ୍‌ ଚଳାଇ ଯା’ଆସ କରିବା, ଅଟୋରେ ନିର୍ବାଚନ ପ୍ରଚାର କରିବା ଆଦି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଜାତୀୟ ଗଣମାଧ୍ୟମରେ ମଧ୍ୟ ସେ ଶିରୋନାମା ପାଲଟିଥିଲେ। ବିଧାୟକ ହେବା ପୂର୍ବରୁ ଶ୍ରୀ ଷଡ଼ଙ୍ଗୀ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ‌େସ କାର୍ଯ୍ୟକର୍ତ୍ତା ଭାବେ ଦାୟିତ୍ବ ତୁଲାଇଥିଲେ। ଜଣେ ଭଲ ବକ୍ତା ଭାବେ ମଧ୍ୟ ତାଙ୍କର ସୁନାମ ରହିଛି। ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହେଲା ପରେ ଶ୍ରୀ ଷଡ଼ଙ୍ଗୀ ସଙ୍ଗେ ସଙ୍ଗେ ରାଷ୍ଟ୍ର ମନ୍ତ୍ରୀ ପଦ ପାଇଛନ୍ତି। ଓଡ଼ିଶାରୁ ଏଥର ବିଜେପିର ୮ ଜଣ ସାଂସଦ ନିର୍ବାଚିତ ହୋଇଥିଲା ବେଳେ କେବଳ ଶ୍ରୀ ଷଡ଼ଙ୍ଗୀ ମନ୍ତ୍ରୀ ହୋଇଛନ୍ତି।

ସମ୍ବନ୍ଧିତ ଖବର