ଓଡ଼ିଆ ଭାଷାର ଦୁଇ ସାଧକଙ୍କୁ ଆନ୍ତର୍ଜାତିକ ପୁରସ୍କାର ମିଳିବ !, କେନ୍ଦ୍ରକୁ ପ୍ରସ୍ତାବ ଯାଇଥିବା ନେଇ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ବର : ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା ପରେ ଶାସ୍ତ୍ରୀୟ ଓଡ଼ିଆ ପ୍ରତିଷ୍ଠାନ ନାମରେ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ କାର୍ଯ୍ୟ ଜାରି ରହିଛି। ଓଡ଼ିଆ ଭାଷାର ୨ଜଣ ପ୍ରଥିତଯଶା ସାଧକଙ୍କୁ ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ ନିମନ୍ତେ ନିଷ୍ପତ୍ତି ହୋଇଛି। ଏନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

ବିଧାୟକ ସୌଭିକ ବିଶ୍ବାଳଙ୍କ ଓଡ଼ିଆ ଭାଷାର ବିକାଶ ସଂକ୍ରାନ୍ତୀୟ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ଓଡ଼ିଆ ଭାଷାରେ ଗବେଷଣା ପାଇଁ ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ ଏବଂ ବାରଣାସୀର ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଆଦିକବି ସାରଳା ଦାସ ଓ କବି ସମ୍ରାଟ ଉପେନ୍ଦ୍ର ଭଂଜଙ୍କ ନାମରେ ଦୁଇଟି ଓଡ଼ିଆ ଚେୟାର ପ୍ରତିଷ୍ଠା ସରିଛି। ପ୍ରଶାସନିକ ଓ ସାର୍ବଜନୀନ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ‘କାର୍ଯ୍ୟାଳୟ ନଥି’ ଓ ‘ପ୍ରଶାସନ ଶବ୍ଦକୋଷ’ ପ୍ରସ୍ତୁତ ହୋଇଛି। ୩୦ ଜିଲ୍ଲାରୁ ଆଞ୍ଚଳିକ ଶବ୍ଦ ସଂଗ୍ରହ କରି ‘କଥିତ ଓଡ଼ିଆ ଶବ୍ଦକୋଷ’ ପୁସ୍ତକ ପ୍ରକାଶ ପାଇଛି। ପ୍ରଥମ କରି ବ୍ୟାସକବି ଫକୀରମୋହନ ଭାଷା ସମ୍ମାନ ପ୍ରଦାନ କରାଯାଇଛି। ପ୍ରତି ୫ ବର୍ଷରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଓଡ଼ିଆ ଭାଷାର କାଳଜୟୀ ଓ ପୁରସ୍କୃତ ପୁସ୍ତକଗୁଡ଼ିକୁ ଅନ୍ୟ ଭାଷାରେ ଓ ଅନ୍ୟ ଭାଷାର କାଳଜୟୀ ପୁସ୍ତକକୁ ଓଡ଼ିଆ ଭାଷାକୁ ଅନୁବାଦ କରିବାକୁ ନିଷ୍ପତ୍ତି ହୋଇଛି। ଐତିହାସିକ ଗବେଷଣା, ଶିଶୁ ସାହିତ୍ୟ, ବିଜ୍ଞାନ ପୁସ୍ତକ, ଓଡ଼ିଆ ୱେବସାଇଟ୍‌, ଓଡ଼ିଆ ବ୍ଲଗ୍‌ ଲିଖନକୁ ପ୍ରୋତ୍ସାହନ ପାଇଁ ପୁରସ୍କାର ଦେବାକୁ ପଦକ୍ଷେପ ନିଆଯାଇଛି। ଓଡ଼ିଆ ସଫ୍‌ଟ‌ୱେର୍‌ ପ୍ରସ୍ତୁତିରେ ଉତ୍କର୍ଷ ହାସଲ କରିଥିବା ବ୍ୟକ୍ତି ଓ ଅନୁଷ୍ଠାନର ଅବଦାନକୁ ମୂଲ୍ୟାୟନ କରି ପୁରସ୍କାର ପ୍ରଦାନ କରିବା, ପ୍ରତି ଜିଲ୍ଲାରେ ସର୍ବସାଧାରଣ ପାଠାଗାର ସ୍ଥାପନ ସହ ସେଠାରେ ଓଡ଼ିଆ ସାହିତ୍ୟ ପୁସ୍ତକ, କାଳଜୟୀ ଓଡ଼ିଆ ପୁସ୍ତକ ଏବଂ ଓଡ଼ିଆରେ ଭାଷାନ୍ତରିତ ହୋଇଥିବା ଅନ୍ୟ ଭାଷାର ପୁରସ୍କୃତ ସାହିତ୍ୟ କୃତୀକୁ ପାଠକଙ୍କ ନିମନ୍ତେ ଉପଲବ୍ଧ କରାଇବା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର