ଭୁବନେଶ୍ବର: ଶିକ୍ଷା କ୍ଷେତ୍ରରେ ଉତ୍ତମ ପ୍ର‌ଦର୍ଶନ କରିଥିବା ଦେଶର  ୮୧ ଜଣ ଆଦର୍ଶ ଶିକ୍ଷକଙ୍କୁ ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ‘ଜାତୀୟ ଶିକ୍ଷକ ପୁରସ୍କାର’ ପ୍ରଦାନ କରିଛନ୍ତି। ଏହି ଅବସରରେ ଓଡ଼ିଶାର ଦୁଇଜଣ ଆଦର୍ଶ ଶିକ୍ଷକ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ହାତରୁ ପୁରସ୍କାର ଗ୍ରହଣ କରିଛନ୍ତି। କୋରାପୁଟ ପିଏମ୍‌ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ତରୁଣ କୁମାର ଦାଶଙ୍କୁ ଅଭିନବ ଶିକ୍ଷାଦାନ ପଦ୍ଧତି ଓ ଭାଷା ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ପୁରସ୍କୃତ କରାଯାଇଛି। 

Advertisment

କଥାଚିତ୍ର, ମାଇଁ ରିଡିଂ ବୁକ୍, ମାଇଁ ପିକ୍ଟର ମାଇଁ ଷ୍ଟୋରି, ନ୍ୟୁଜ୍ ନେଷ୍ଟ, ମେ ଭି ସିକର୍‌ ଭଳି ପ୍ରୟାସ ଜରିଆରେ ସେ ଛାତ୍ରଛାତ୍ରୀଙ୍କ ଭିତରେ ସୃଜନଶୀଳତା, ସାକ୍ଷରତା ଓ ଯୋଗାଯୋଗ ଦକ୍ଷତା ବୃଦ୍ଧି କରିପାରିଛନ୍ତି। ମିଲେଟ୍ କ୍ରାନ୍ତି ଅଭିଯାନର ନେତୃତ୍ବ ନେଇ ସେ ନିଜ ବିଦ୍ୟାଳୟରେ ଶ୍ରୀଅନ୍ନ ଜାତୀୟ ଖାଦ୍ୟ ପରଷି ଦେବାରେ ଅଗ୍ରଣୀ ଭୂମିକା ନେଇଛନ୍ତି। ସ୍ବାସ୍ଥ୍ୟ, ପୋଷଣ ଓ ସାଂସ୍କୃତିକ ସଚେତନତାକୁ ତାଙ୍କ ଉଦ୍ୟମ ପ୍ରୋତ୍ସାହିତ କରିଛି। ଏଭଳି ବହୁମୁଖୀ କାର୍ଯ୍ୟକ୍ରମ ପାଇଁ ଶିକ୍ଷକ ଶ୍ରୀ ଦାଶଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ମାଲକାନଗିରି କୋଣ୍ଡେଲ ସରକାରୀ ନୋଡାଲ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ରଣାଙ୍କୁ ଏହି ସୌଭାଗ୍ୟ ମିଳିଛି।

ନୂତନ ଶିକ୍ଷାଦାନ ଏବଂ ଗୋଷ୍ଠୀ ସହଭାଗିତା ପାଇଁ ସେ ପୁରସ୍କୃତ ହୋଇଛନ୍ତି। ତାଙ୍କ ଅଭିନବ ଉଦ୍ୟମ ପାଇଁ ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବଢ଼ିଛି ଏବଂ ପିଲାମାନଙ୍କ ଶିକ୍ଷାଗ୍ରହଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାରେ ସୁଧାର ଆସିଛି। ସଚେତନ‌ତା ଶୋଭାଯାତ୍ରା, ପଥପ୍ରାନ୍ତ ସଭା, କଣ୍ଢେଇ ନାଚ ଓ ମାସିକ ଭ୍ରାମ୍ୟମାଣ ଗୋଷ୍ଠୀ ପାଠାଗାର ମାଧ୍ୟମରେ ଆଦର୍ଶ ଶିକ୍ଷକ ଶ୍ରୀ ରଣା ବିଦ୍ୟାଳୟ ଓ ସମାଜ ମଧ୍ୟରେ ଥ‌ିବା ସମ୍ପର୍କକୁ ସୁଦୃଢ଼ କରିଛନ୍ତି। ‘ଟକିଂ ୱାଲ୍ସ’ (କଥା କୁହା କାନ୍ଥ)  ଓ ‘ପଥର ବର୍ଣ୍ଣମାଳା ଏବଂ ସଂଖ୍ୟା ବଗିଚା’ ଭଳି ଉଦ୍ୟମ ଜରିଆରେ ସେ ବିଦ୍ୟାଳୟ ପରିସରକୁ ଅଧିକ ଉପ‌ଯୋଗୀ କରିପାରିଛନ୍ତି।