ଅନୁଗୁଳ: ଢେଙ୍କାନାଳ ଜିଲ୍ଲା ବୁଢ଼ାପଙ୍କ-ମେରାମଣ୍ଡଳୀ ରେଳ ଷ୍ଟେସନ୍‌ ମଝିରେ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ପଥର ମାଡ଼ କରିବା ଅଭିଯୋଗରେ ଆଜି ରେଳବାଇ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବେଲବାହାଳିର ସନ୍ତୋଷ କୁମାର ମହାରଣା (୩୦) ଓ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସରଦେଈପୁରର ବିଜୟ କୁମାର ଲେଙ୍କା (୪୨)। ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧାରୋଡ ରେଳବାଇ ପୁଲିସର ସିଆଇବି ଓ ତାଳଚେର ଆରପିଏଫ୍‌ ମିଳିତ ଭାବେ ଆମ୍ବୁସ୍‌ ଚଳାଇଥିବା ବେଳେ ଉଭୟ‌‌େ ସନ୍ଦିଗ୍ଧ ଅବସ୍ଥାରେ ଧରାପଡ଼ିଥିଲେ। ପଚରାଉଚରା ବେଳେ ଖୁସିରେ ଟ୍ରେନ୍‌କୁ ପଥର ଫିଙ୍ଗିଥିବା ଉଭୟ ମାନି ଯାଇଥିଲେ। ଆଜି ରେଳବାଇ ପୁଲିସ ଅଭିଯୁକ୍ତ ସନ୍ତୋଷ ଓ ବିଜୟଙ୍କୁ ଢେଙ୍କାନାଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ହାଜର କରାଇଥିଲା। ସେଠାରେ ଉଭୟଙ୍କୁ ୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏନେଇ ରେଳବାଇ ପୁଲିସ ତରଫରୁ ସି୩ସି-୨୨୫/୨୦୨୩ରେ ରେଳବାଇ ଆକ୍ଟର ୧୫୩, ୧୪୫(ସି) ଓ ୧୪୭ ଦଫାରେ ଏକ ମାମଲା ରୁଜୁ କରାଯାଇଛି।

Advertisment

ସୂଚନା ମୁତାବକ, ଗତ ୨୬ ତାରିଖ ସନ୍ଧ୍ୟାରେ ଟ୍ରେନ୍‌ ନଂ- ୨୦୮୩୫ ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ବୁଢ଼ାପଙ୍କ-ମେରାମଣ୍ଡଳୀ ଷ୍ଟେସନ୍ ମଝିରେ ପଥର ମାଡ଼ ହୋଇଥିଲା। ଏନେଇ ଟ୍ରେନ୍‌ ଏସ୍‌କର୍ଟିଙ୍ଗ୍‌ ପାର୍ଟି ରିପୋର୍ଟ କରିଥିଲେ। ତାଳଚେର ଆରପିଏଫ୍‌ ଇନ୍‌ସପେକ୍ଟର ପ୍ରକାଶ ଚରଣ ଦାସ ଓ ଏଏସ୍‌ଆଇ ଏ ସି ରାଉତ ଏବଂ ବୁଢ଼ାପଙ୍କ ଆଉଟ୍‌ପୋଷ୍ଟ୍‌ର ଏଏସ୍‌ଆଇ ଏମ୍‌ ଭି ଆପ୍ପାରାଓ, କନେଷ୍ଟବଳ ଦିନେଶ ଯାଦବଙ୍କ ସହିତ ଖୋର୍ଦ୍ଧାରୋଡ ଆରପିଏଫ୍‌ (ସିଆଇବି)ର ଜେ କେ ମଲ୍ଲିକ ଓ ହେଡ୍‌ କନେଷ୍ଟବଳ ଏନ୍‌ ସି ମଲ୍ଲିକ ସନ୍ଧ୍ୟା ସାଢ଼େ ୫ଟାରେ ମିଳିତ ଆମ୍ବୁସ୍‌ ଚଳାଇଥିବା ବେଳେ ବୁଢ଼ାପଙ୍କ-ମେରାମଣ୍ଡଳୀ ଷ୍ଟେସନ୍ ମଝିରେ ଦୁଇଜଣଙ୍କୁ ସନ୍ଦିଗ୍ଧ ଅବସ୍ଥାରେ ଦେଖିଥିଲେ। ସନ୍ତୋଷ ଓ ବିଜୟ ଉଭୟ ଏକ ସାଇକଲ୍‌ରେ ଆସି ପଥର ମାଡ଼ ହୋଇଥିବା ଘଟଣାସ୍ଥଳରେ ପହଞ୍ଚି ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ଉଭୟଙ୍କୁ ଟିମ୍‌ ଧରି ପଚରାଉଚରା କରିବା ପରେ ଦୁହେଁ ସତ ମାନି ଯାଇଥିଲେ। ଏହା ପଛରେ ଥିବା ରୋଚକ କଥା ଉଭୟ ରେଳବାଇ ପୁଲିସ ଆଗରେ କହିଥିବା ଜଣାପଡ଼ିଛି। ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ଟେକା, ପଥର ମାଡ଼ ହେଉଥିବା ଖବର ଗଣମାଧ୍ୟମରେ ଦେଖି ତାହାକୁ ପରୀକ୍ଷା କରିବା ପାଇଁ ସେମାନେ ୨୬ ତାରିଖ ସନ୍ଧ୍ୟାରେ ଚଳନ୍ତା ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ପଥର ମାରିଥିବା ବୟାନ ଦେଇଛନ୍ତି। ‌