ସୁନ୍ଦରଗଡ଼/ଅନୁଗୁଳ: ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତିରେ ବୁଡ଼ି ରହୁଛନ୍ତି। ସେମାନେ କେବଳ ଦରମା ଟଙ୍କାରେ ସନ୍ତୁଷ୍ଟ ନୁହଁନ୍ତି। ଦୁର୍ନୀତିଗ୍ରସ୍ତ କର୍ମଚାରୀ ବାରମ୍ବାର ଭିଜିଲାନ୍ସ ହାତରେ ଧରାପଡୁଥିଲେ ବି ଏଥିରୁ ଅନ୍ୟମାନେ ଶିକ୍ଷା ପାଉନାହାନ୍ତି। ଆଜି ପୁଣି ଭିଜିଲାନ୍ସ ହାତରେ ୨ ଜଣ ଅଧିକାରୀ ଓ ଜଣେ କିରାଣୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଓ କିରାଣୀ ବିରଞ୍ଚି ଖିଲେଇ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେହିଭଳି ଅନୁଗୁଳ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଚାରୁଲତା ମଲ୍ଲିକ ମଧ୍ୟ ନିଜ ବିଭାଗର ଆଟେନାଣ୍ଡଣ୍ଟଙ୍କ ବକେୟା ଦରମା କରିବା ପାଇଁ ୪୯ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଛନ୍ଦି ହୋଇଛନ୍ତି।
ସୂଚନା ଅନୁସାରେ ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ କନକତୋରା ଗାଁର ବୁଢ଼ାରାମ ସାହୁଙ୍କ ପୁଅ ସୁରେନ୍ଦ୍ର ବର୍ତ୍ତମାନ ହେମଗିରିରେ ବିଇଓ ଅଛନ୍ତି। ସେ ଆଜି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ କୁରୁମକେଲ ଗାଁର ଜନକ ରାମ ଖିଲେଇଙ୍କ ପୁଅ ତଥା ହେମଗିରି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟରତ ବିରଞ୍ଚିଙ୍କ ମାଧ୍ୟମରେ ସୁନ୍ଦରଗଡ଼ ଜିଲ୍ଲା ସାହସପୁର ୟୁପି ସ୍କୁଲର ପ୍ରଧାନଶିକ୍ଷକ ପରମାନନ୍ଦ ବାଗଙ୍କ ଠାରୁ ଏକ ସାର୍ଟିଫିକେଟ ଜନିତ କାମ ପାଇଁ ୩୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀଙ୍କ ହାତରେ ଧରାପଡ଼ିଥିଲେ।
ଭିଜିଲାନ୍ସ ବିଭାଗ ସୁରେନ୍ଦ୍ର କୁମାରଙ୍କ ପୈତୃକ ଗାଁ, ବିରଞ୍ଚିଙ୍କ ପୈତୃକ ଗାଁ ସହିତ ବର୍ତ୍ତମାନ ରହୁଥିବା ଠିକଣାରେ ଚଢ଼ାଉ କରି ସର୍ଚ୍ଚ ଅପରେସନ କରିଛି। ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।