ବିଦାହେଲେ ପୁଣି ୪ ସରକାରୀ ବାବୁ, ୨ଜଣଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର : ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ନିସ୍ତାର ନାହିଁ। ଆଜି ପୁଣି ୪ ଜଣ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଚାକିରିରୁ ବିଦା କରିଛନ୍ତି। ଏହାସହିତ ଜନସ୍ବାସ୍ଥ୍ୟ ବିଭାଗର ୨ଜଣ ସହକାରୀ ଯନ୍ତ୍ରୀଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ସେ ନିର୍ଦେଶ ଦେଇଛନ୍ତି। ୨୦୧୯ ଅଗଷ୍ଟ ମାସରୁ ଏବେସୁଦ୍ଧା ମୋଟ ୫୯ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ ଚାକିରିରୁ ବରଖାସ୍ତ ହୋଇଥିବାବେଳେ ୧୨ ଜଣଙ୍କୁ ବାଧ୍ୟତାମୂଳକ ଅବସର ମିଳିବା ସହ ୧୧ ଜଣଙ୍କ ପେନ୍‌ସନ୍‌ ବନ୍ଦ କରିଦିଆଯାଇଛି।

ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ, ଭିଜିଲାନ୍‌ସ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ଭତ୍ତାଧାରୀ ଇଞ୍ଜିନିୟର ତଥା ଜଳ ସମ୍ପଦ ବିଭାଗ ଅଧୀନରେ କାର୍ଯ୍ୟକରୁଥିବା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଏଇଇ) ସଞ୍ଜୟ କୁମାର ଚୌଧୁରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ସେହିପରି ବାଲେଶ୍ବର ଡିଆଇସି ମହାପ୍ରବନ୍ଧକ କାର୍ଯ୍ୟାଳୟର ପୂର୍ବତନ ସୁପରଭାଇଜର୍‌ ଏବଂ ନୂଆପଡ଼ା ଡିଆଇସି ମହାପ୍ରବନ୍ଧକ କାର୍ଯ୍ୟାଳୟରେ କାର୍ଯ୍ୟରତ ସୁପରଭାଇଜର ପ୍ରଦୀପ କୁମାର ରାୟ, କଟକ ଜଗତପୁର ଉତ୍ତର ସେଚ ଡିଭିଜନ ଅଧୀନରେ ଥିବା ପୁନ୍ଦଳ ସବ-ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଜ୍ଞାନ କୁମାର ବେଉରିଆ ଓ ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ପରିଷଦ ଅଞ୍ଚଳରେ ଜନସ୍ବାସ୍ଥ୍ୟ ବିଭାଗର ପୂର୍ବତନ ଜୁନିଅନ ଇଞ୍ଜିନିୟର ଏବଂ ଏବେ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ଜନସ୍ବାସ୍ଥ୍ୟ ବିଭାଗ-୧ରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅମୀୟ କୁମାର ସେଠୀଙ୍କୁ ଚାକିରିରୁ ବିଦା କରାଯାଇଛି।

ନିଜ କର୍ତ୍ତବ୍ୟରେ ଅବହେଳା ଓ ପାରଦର୍ଶିତାରେ ଅଯୋଗ୍ୟ ପ୍ରମାଣିତ ହୋଇଥିବା ବରଗଡ଼ ଜିଲ୍ଲା ଗ୍ରାମୀଣ ପାଇପ ଜଳ ଯୋଗାଣ ଡିଭିଜନର ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ନାରାୟଣ ତିଆଡ଼ିଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଶ୍ରୀ ତିଆଡ଼ିଙ୍କ ନାମରେ ୨୦୧୦ ମସିହାରେ ଆୟବହିର୍ଭୂତ ସମ୍ପତ୍ତି ଓ ବିନା ମଞ୍ଜୁରିରେ ଦୀର୍ଘ ଦିନ ଛୁଟିରେ ରହିଥିବା ଅଭିଯୋଗରେ ଭିଜିଲାନ୍‌ସ୍‌ ମାମଲା ଦରଜ କରିଥିଲା। ସେହିପରି ଦୀର୍ଘ ଦିନ ଧରି କାର୍ଯ୍ୟକ୍ଷେତ୍ରରେ ଅନୁପସ୍ଥିତ ଥିବା କାରଣରୁ ଜନସ୍ବାସ୍ଥ୍ୟ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ସହାୟକ ଯନ୍ତ୍ରୀ ଜ୍ଞାନେନ୍ଦ୍ର ପଟେଲଙ୍କୁ ଚଳିତ ଜାନୁଆରୀ ପହିଲାରୁ ପିଛିଲା ଭାବେ ବାଧ୍ୟତାମୂଳକ ଅବସର ଦେବାକୁ ନିର୍ଦେଶ ଜାରି କରାଯାଇଛି।

ସମ୍ବନ୍ଧିତ ଖବର