ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ସରକାର : ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ୪ ଅଧିକାରୀ ବହିଷ୍କୃତ

ଭୁବନେଶ୍ୱର: ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଅଭିଯାନ ପୂର୍ବଭଳି ଜାରି ରଖିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ମାତ୍ରେ ଏହାକୁ ଅଧିକ ତୀବ୍ର କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆ ଯାଇଥିବା ବେଳେ ୪ ଜଣ ଅଧିକାରୀ ଚାକିରିରୁ ବହିଷ୍କୃତ ହୋଇଛନ୍ତି।

ରିପୋର୍ଟ ଅନୁସାରେ, ସରକାର ସହକାରୀ ଯନ୍ତ୍ରୀ ନାରାୟଣ ତିଆଡ଼ିଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି।  ବରଗଡ଼ ଆରଡବ୍ଲ୍ୟୁଏସଏସରେ ଚାକିରି କରୁଥିବା ତିଆଡ଼ିଙ୍କୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ କର୍ତ୍ତବ୍ୟରେ ଅବହେଳା ଯୋଗୁଁ  ଅବସର ନେବାକୁ କୁହାଯାଇଛି । ଏଥିସହ ସେ ବିନା ଅନୁମତିରେ ମଧ୍ୟ ଦୀର୍ଘ ଦିନ ଅନୁପସ୍ଥିତ ଥିଲେ। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବାଧ୍ୟତାମୂଳକ ଅବସର ଦିଆ ଯାଇଥିବା ଅନ୍ୟ ଜଣେ ଅଧିକାରୀ ହେଲେ ଜନସ୍ୱାସ୍ଥ୍ୟ ବିଭାଗର ସହାକାରୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର ପଟେଲ। ଜ୍ଞାନେନ୍ଦ୍ର ଦୀର୍ଘ ଦିନ ହେବ ଛୁଟିରେ ଥିଲେ। ତେଣୁ ରାଜ୍ୟ ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ନାରାୟଣ ତିଆଡ଼ି ଓ ଜ୍ଞାନେନ୍ଦ୍ରଙ୍କ ବ୍ୟତୀତ ରାଜ୍ୟ ସରକାର ୪ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଜେଇ ଅମିୟ କୁମାର ସେଠୀ, କଟକ ଜିଲ୍ଲାର ବାଙ୍କୀ ବ୍ଲକର ପୂର୍ବତନ ଯନ୍ତ୍ରୀ ବିଜ୍ଞାନ କୁମାର ବେଉରିଆ, ଖଦୀ ବୋର୍ଡର ପୂର୍ବତନ ସୁପରଭାଇଜର ପ୍ରଦୀପ ରାୟ ଓ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ପୂର୍ବତନ ଯନ୍ତ୍ରୀ ସଂଜୟ ଚୌଧୁରୀଙ୍କୁ ସରକାର ଚାକିରିରୁ ବହିଷ୍କାର କରିଛନ୍ତି। ଏହି ୪ ଅଧିକାରୀ ନିକଟରେ ସେମାନଙ୍କ ବିରୋଧରେ ଚାଳିଥିବା ଭିଜିଲାନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର