ଦୁଇ ଅଧିକାରୀଙ୍କୁ ମାଡ ଘଟଣା: ପ୍ରମାଣ ମିଳିଲେ ମନ୍ତ୍ରୀଙ୍କୁ ବି ଜେରା କରାଯିବ
ସୋମବାର ଅଭିଯୋଗକାରୀଙ୍କ ବୟାନ ରେକର୍ଡ
ବାରିପଦା : ଦୁଇ ଅଧିକାରୀଙ୍କୁ ମାଡ଼ମାରିବା ଘଟଣାରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ୱର ଟୁଡ଼ୁଙ୍କ ବିରୋଧରେ ଠୋସ୍ ପ୍ରମାଣ ମିଳିଲେ ତାଙ୍କୁ ମଧ୍ୟ ଜେରା କରିବ। ଏଥି ପାଇଁ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୨ ଅଧିକାରୀଙ୍କୁ ନିଜସ୍ବ କାର୍ଯ୍ୟାଳୟକୁ ଡାକି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ ମାଡ଼ ମାରିଥିବା ଅଭିଯୋଗର ତଦନ୍ତ ପାଇଁ ଅତିରିକ୍ତ ଏସ୍ପି ସୁରେଶଚନ୍ଦ୍ର ପାତ୍ର, ବାରିପଦା ସଦର ଏସ୍ଡିପିଓ କେକେ ହରିପ୍ରସାଦ ଓ ବାରିପଦା ଟାଉନ୍ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତିଙ୍କୁ ନେଇ ଗଠିତ ହୋଇଛି ସ୍ବତନ୍ତ୍ର ଟିମ୍। ଏହି ମାମଲାର ୨ ଅଭିଯୋଗକାରୀଙ୍କ ବ୍ୟତୀତ ଅନ୍ୟ କେହି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ସାଇଣ୍ଟିଫିକ୍ ଟିମ୍ର ସହାୟତା ନେଇଛି ତଦନ୍ତକାରୀ ଦଳ।
ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରୁ ତଥ୍ୟପ୍ରମାଣ ସଂଗ୍ରହ କରିଛି। ଏଥିସହ ଅଭିଯୋଗକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ଫୋନ୍ରେ ଧମକ ଦେବା ନେଇ ଯେଉଁ ଅଡିଓ ଭାଇରାଲ୍ ହେଉଛି, ସେଥିରେ ଥିବା ସ୍ବର ପ୍ରକୃତରେ ମନ୍ତ୍ରୀଙ୍କର କି ନୁହେଁ, ତାର ତର୍ଜମା ପାଇଁ ପରୀକ୍ଷଣ କେନ୍ଦ୍ରକୁ ପଠାଯାଇଛି। ଅଭିଯୋଗକାରୀ ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯିବାଆସିବା ବେଳର ସିସିଟିଭ ଫୁଟେଜକୁ ଯାଞ୍ଚ୍ କରାଯାଉଛି। ଭିତରକୁ ଯିବା ବେଳେ ୨ ସରକାରୀ କର୍ମଚାରୀ କେମିତି ଥିଲେ ଓ ବାହାରକୁ ବାହାରିବା ବେଳେ ସେମାନଙ୍କର ଅବସ୍ଥା କଣ ଥିଲା, ସେ ଦିଗକୁ ମଧ୍ୟ ଯାଞ୍ଚ୍ କରାଯାଉଛି। ଆସନ୍ତା ସୋମବାର ଧାରା ୧୬୪ରେ ଅଭିଯୋଗକାରୀ କର୍ମଚାରୀଙ୍କ ବୟାନ ରେକର୍ଡ କରାଯିବ।
ସେହି ପରି ମନ୍ତ୍ରୀଙ୍କୁ ଜେରା ପାଇଁ ବି ପୁଲିସ ପ୍ରକ୍ରିୟା ଆରମ୍ଭ କରିଛି। ଶ୍ରୀ ଟୁଡ଼ୁ କେନ୍ଦ୍ରରେ ମନ୍ତ୍ରୀ ଥିବାରୁ ନିୟମ ଅନୁଯାୟୀ ଲୋକସଭା ବାଚସ୍ପତିଙ୍କୁ ଏ ନେଇ ଲିଖିତ ଅବଗତ କରାଯାଇଛି। କେସ୍ର ସମସ୍ତ ଦିଗକୁ ନେଇ ଛାନ୍ଭିନ୍ ଚାଲିଛି। ମନ୍ତ୍ରୀଙ୍କ ବିରୋଧରେ ଠୋସ୍ ପ୍ରମାଣ ମିଳିଲେ ତାଙ୍କୁ ମଧ୍ୟ ପୁଲିସ ଜେରା କରିବ ବୋଲି ତଦନ୍ତକାରୀ ଅଧିକାରୀ ଶ୍ରୀ ସେନାପତି ସୂଚନା ଦେଇଛନ୍ତି।