ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟରେ ହୋଇଥିବା ମଧ୍ୟାହ୍ନ ଭୋଜନ ଚାଉଳ ଦୁର୍ନୀତି ନେଇ ‘ସମ୍ବାଦ’ରେ ଖବର ପ୍ରସାରଣ ପରେ ନିଜେ ବିଭାଗୀୟ ମନ୍ତ୍ରୀ ସମ୍ପୂର୍ଣ ମୟୂରଭଞ୍ଜର ଚାଉଳ ହେରଫେର ନେଇ ତଦନ୍ତ କରିବା ପରେ ଆଜି ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ଭାବେ ବେତନଟୀ ବ୍ଲକର ଦୁଇ ଜଣ ଅଧିକାରୀଙ୍କୁ ନିଲମ୍ବନ କରିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।
ସୂଚନା ଅନୁଯାଇ ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ଚାଉଳ ଦୁର୍ନୀତି ମାମଲା ସମ୍ବନ୍ଧରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ ନିର୍ଦେଶ ଆସିଥିଲା। ପରେ ବଡ଼ସାହି ବିଧାୟକ ସନାତନ ବିଜୁଳି ଉକ୍ତ ଦୁର୍ନୀତି ସମ୍ବନ୍ଧରେ ଅବଗତ ହୋଇ ପ୍ରତକ୍ଷ ଭାବେ ଯାଇ ଉକ୍ତ ବିଦ୍ୟାଳୟ ସମେତ ସମ୍ପୂର୍ଣ ବ୍ଲକର ମଧ୍ୟାହ୍ନ ଭୋଜନ ଚାଉଳରେ ହୋଇଥିବା ଦୁର୍ନୀତିର ଖୋଳତାଡ ଆରମ୍ଭ କରିଥିଲେ। ପରେ ସମ୍ପୃକ୍ତ ବିଭାଗରେ ଖୋଳତାଡ଼ କରି ଜାଣିବାକୁ ପାଇଥିଲେ କି ମୟୁରଭଞ୍ଜ ଜିଲ୍ଲାରେ କେବଳ ମଧ୍ୟାହ୍ନରେ ୧୭୦କୋଟିର ଚାଉଳ ମହାଦୁର୍ନୀତି ହୋଇଛି। ପରେ ଗତ ସପ୍ତାହରେ ୨ଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ବିଭିନ୍ନ ବେତନଟୀର ଗୋଦାମ ଓ ଚାଉଳ ମିଲ ଯାଞ୍ଚ ପୂର୍ବକ ବାରିପଦାରେ ଏକ ସମୀକ୍ଷା ବୈଠକ କରିଥିଲେ। ପରେ ଉକ୍ତ ଦିନ ସନ୍ଧ୍ୟାରେ ଆକସ୍ମିକ ଆସି ବୈଶିଙ୍ଗା ଉପକଣ୍ଠ ଖଇରିବଣୀ ଆଶ୍ରମ ବିଦ୍ୟାଳୟରେ ପହଞ୍ଚି ପୂର୍ବରୁ ସ୍କୁଲ ଗୋଦାମ ଗୃହରେ ଗଛିତ ଥିବା ଚାଉଳ ବସ୍ତା ସବୁର ଓଜନ ଯାଞ୍ଚ କରିଥିଲେ। ଆଉ ସବୁ ଜାଗାରେ ଓଜନରେ ବ୍ୟାପକ ହେରଫେର ହେଇଥିବା ନେଇ ନିଶ୍ଚିତ ହୋଇଥିଲେ। ପ୍ରାୟତଃ ସବୁ ବସ୍ତାର ଓଜନ ୪୩ରୁ ୪୫ ଭିତରେ ରହିଥିଲା। ପରେ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ କି ଜିଲ୍ଲାରେ ହୋଇଥିବା ସ୍କୁଲ ଏମଡିଏମ ଚାଉଳ ଯୋଗାଣର ହେରଫେର ଅଭିଯୋଗର ତଦନ୍ତ ପୂର୍ବକ ସମ୍ପୃକ୍ତ ଥିବା ସବୁ ଅଧିକାରୀ ଓ ଯୋଗାଣ ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।
ମାତ୍ର ଗୋଟିଏ ସପ୍ତାହ ପରେ ଆଜି ମନ୍ତ୍ରୀ ପ୍ରାଥମିକ ଭାବେ ବେତନଟୀ ବ୍ଲକର ବ୍ଲକ ଯୋଗାଣ ଅଧିକାରୀ (ଏମଆଇ) ଓ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ (ଏସିଏସଓ)ଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି କି ଆଗାମୀ ଦିନରେ ଉକ୍ତ ମାମଲାରେ ଜଡିତ ଶିକ୍ଷା ବିଭାଗର ଅନ୍ୟାନ୍ୟ ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗଣଶିକ୍ଷା ବିଭାଗକୁ କୁହାଯାଇଛି। ଏନେଇ ଯୋଗାଣ ବିଭାଗର ଉପରିସ୍ଥ ଅଧିକାରୀଙ୍କର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ବି ସେମାନେ କିଛି ପ୍ରତିକ୍ରିୟା ଦେବାକୁ ଇଛା ପ୍ରକାଶ କରିନଥିଲେ।