କାର୍ଯ୍ୟରେ ଅବହେଳା : ବାସୁଦେବପୁର ପୌରପାଳିକାର ଦୁଇ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର : କାର୍ଯ୍ୟରେ ଅବହେଳା ଯୋଗୁଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ଦୁଇ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଲେ, ବାସୁଦେବପୁର ପୌରପାଳିକାର କନିଷ୍ଠ ଯନ୍ତ୍ରୀ ଦେବକାନ୍ତ ନାୟକ ଓ ନିର୍ବାହ ଅଧିକାରୀ ତାପସ ରଂଜନ ଜେନା। ନିଲମ୍ବନ ସମୟରେ ଉକ୍ତ ଦୁଇ ଅଧିକାରୀ ଭଦ୍ରକ ଡିୟୁଡିଏ (ଡୁଡା) ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅଫିସ୍‌ରେ ରହିବେ। କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ହେଡ୍‌କ୍ବାର୍ଟର୍ସ ଛାଡ଼ି ପାରିବେ ନାହିଁ ବୋଲି ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ବିଭାଗର ଅଧିକାରୀମାନେ ଗସ୍ତ ସମୟରେ ପୌରପାଳିକାରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ପାଇଥିଲେ। ପ୍ରମୁଖ ଅଧିକାରୀମାନେ ଅନୁପସ୍ଥିତ ରହିଥିଲେ। ହୋଲଡିଂ ଟ୍ୟାକ୍ସ ଆଦାୟ ନିରୁତ୍ସାହଜନକ ଥିବା ବେଳେ ରାଜ୍ୟ ସରକାରଙ୍କ ଯୋଜନାଗୁଡ଼ିକ ବିରୋଧରେ ଅର୍ଥ ଖର୍ଚ୍ଚ କରାଯାଇଛି। ହିତାଧିକାରୀଙ୍କୁ ଅଯଥା ପାଣ୍ଠିମୁକ୍ତ କରିବା, ଡବ୍ଲୁଏସ୍‌ଏଚ୍‌ଜିଗୁଡ଼ିକୁ ଦେୟମୁକ୍ତ କରିବାରେ ଅତ୍ୟଧିକ ବିଳମ୍ବ, ସହରଗୁଡ଼ିକରେ ପରିମଳ କାର୍ଯ୍ୟକଳାପର ଅଭାବ, ରାସ୍ତା ଓ ଡ୍ରେନଗୁଡ଼ିକର ମରାମତି, ରକ୍ଷଣାବେକ୍ଷଣରେ ଅବହେଳା, ୟୁଡବ୍ଲୁଇଆଇ ଠିକ୍‌ ଭାବେ ଖର୍ଚ୍ଚ ନ କରିବା ଓ ମିସନ୍‌ ଶକ୍ତି ସଠିକ୍‌ ଭାବେ ଆରମ୍ଭ ହୋଇ ନଥିବା ଦେଖିବାକୁ ପାଇଥିଲେ। ସେହିପରି ଲୋକଙ୍କୁ ସେବା ପ୍ରଦାନ ନୈରାଶ୍ୟଜନକ ଥିବା ବେଳେ ଏମ୍‌ସିସି ଓ ଏମ୍‌ଆରଏଫ୍‌ ଅଗ୍ରଗତିରେ ଅତ୍ୟଧିକ ଖରାପ ପ୍ରଦର୍ଶନ, ସର୍ବସାଧାରଣ ଉପଯୋଗିତା ପାଇଁ ମ୍ୟୁନିସିପାଲିଟିକୁ ମିଳିଥିବା ସରକାରୀ ପାଣ୍ଠିର ଅଣ ବ୍ୟବହାର ଓ କର୍ମଚାରୀଙ୍କ ଦକ୍ଷତାର ସଠିକ୍‌ ଉପଯୋଗ କରାଯାଇପାରି ନଥିବା ନଜରକୁ ଆସିଥିଲା। ଯେଉଁଥିପାଇଁ ଉକ୍ତ ଦୁଇ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର