ଗଞ୍ଜାମ : ୨ ବୃଦ୍ଧଙ୍କୁ ନିର୍ମମ ହତ୍ୟା

ବ୍ରହ୍ମପୁର/ପାଟପୁର/ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲାରେ ଦୁଇଟି ହତ୍ୟାକାଣ୍ଡ ଘଟିଛି, ଯେଉଁଥିରେ ୨ ଜଣ ବୃଦ୍ଧ ବ୍ୟକ୍ତି ମୃତ୍ୟୁର ଶିକାର ହୋଇଛି। ସାନଖେମୁଣ୍ଡି ବ୍ଲକ୍ ଓ ପାଟପୁର ଥାନା ଅର୍ନ୍ତଗତ ପ୍ରତାପଗିରି ଗାଁରେ ଗୋଟିଏ ଘଟଣା ଘଟିଥିବାବେଳେ ଅନ୍ୟ ଘଟଣାଟି ଗାଙ୍ଗପୁର ଥାନା ଓ ଆସିକା ବ୍ଲକ୍ ମୁନିଗାଡ଼ି ପଞ୍ଚାୟତ ମାଳତି ଗ୍ରାମରେ ଘଟିଛି।

ପ୍ରତାପଗିରି ଗାଁରେ ଘଟିଥିବା ଘଟଣା ଅନୁସାରେ, ଗାଁର ଡ୍ରାମା ପ୍ୟାଣ୍ଡେଲ୍‌ରେ (ମଣ୍ଡପ) ରାତିରେ ଶୋଇଥିବା ଜଣେ ବୃଦ୍ଧଙ୍କୁ ଗଳା କାଟି ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ଆର୍.ଖରିଡ଼ା ପାତ୍ର(୭୫)। ମୃତକଙ୍କ ପାଖରେ ଉକ୍ତ ଗ୍ରାମର ଆଉ ୪ଜଣ ବ୍ୟକ୍ତି ଶୋଇଥିଲେ। ହେଲେ ଏହି ହତ୍ୟାକାଣ୍ଡ ସମ୍ପର୍କରେ ସେମାନେ ଆଦୌ ଜାଣି ନପାରିବା ସମସ୍ତଙ୍କୁ ଚକିତ କରିଛି। ପାଟପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସହ କେସ୍ ନମ୍ବର ୧୮୮ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

ମାଳତି ଗ୍ରାମରେ ଜମିଜମାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଛି। ମୃତକ ଜଣକ ହେଲେ, ଦୁର୍ଯ୍ୟୋଧନ ନାୟକ (୭୦)। ଦୁର୍ଯ୍ୟୋଧନ ଗତ ୨ ବର୍ଷ ତଳେ ଜମିରେ ଚାଷ କରିବା ଲାଗି ନିକଟ କେଶରାପଲ୍ଲୀ ଗ୍ରାମର ଶମ୍ଭୁ ବିଷୋୟୀଙ୍କ ଠାରୁ ୪୦୦୦ ଟଙ୍କା କରଜ ଆଣିଥିଲେ। ଏଥିପାଇଁ ଦୁର୍ଯ୍ୟୋଧନ ତାଙ୍କର ଗୋଟିଏ ଜମି ଶମ୍ଭୁଙ୍କ ପାଖରେ ବନ୍ଧକ ରଖିଥିଲେ। ଗତ କିଛିଦିନ ତଳେ ଦୁର୍ଯ୍ୟୋଧନ ମୂଳ ଓ ସୁଧ ମିଶାଇ ମୋଟ ୯୦୦୦ ଟଙ୍କା ଶମ୍ଭୂଙ୍କୁ ପୈଠ କରିଥିଲେ। କିନ୍ତୁ ଶମ୍ଭୂ ଟଙ୍କା ପାଇବା ପରେ ମଧ୍ୟ ବନ୍ଧକ ଥିବା ଦୁର୍ଯ୍ୟୋଧନଙ୍କ ଜମିକୁ ନ ଛାଡ଼ି ଜବରଦସ୍ତ ହଡ଼ପ କରି ରଖିଥିଲେ। ଆଜି ସକାଳ ୭ଟାରେ ଶମ୍ଭୁ, ତାଙ୍କ ପତ୍ନୀ, ପୁଅ ଜିତେନ୍ଦ୍ର ଓ ଝିଅ ମିଶି ସେହି ବିବାଦୀୟ ଜମିକୁ ଧାନ ରୋଇବା ଲାଗିଯାଇଥିଲେ। ଏହା ଜାଣି ଦୁର୍ଯ୍ୟୋଧନ ସେଠାରେ ପହଞ୍ଚି ଶମ୍ଭୁଙ୍କୁ ତାଗିଦ୍ କରିବା ସହ ଧାନ ରୁଆ ବନ୍ଦ କରିବାକୁ କହିଥିଲେ। ଏଥିରେ ରାଗିଯାଇ ଶମ୍ଭୁଙ୍କ ଝିଅ ରୁନୁ (୨୪) ହାତରେ ଧରିଥିବା କୋଡ଼ିରେ ଦୁର୍ଯ୍ୟୋଧନଙ୍କ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲେ। ଏହାସହ ବାପାଝିଅ ଓ ପୁଅ ମିଶି ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ନିଜ ଜମି ହିଡ଼ରେ ହିଁ ଦୁର୍ଯ୍ୟୋଧନ ଟଳିପଡ଼ିଥିଲେ। ଏହାଜାଣି ପୁଅ ତ୍ର‌ିଲୋଚନ ପହଞ୍ଚିଲାବେଳକୁ ବାପାଙ୍କ ପ୍ରାଣବାୟୁ ଉଡ଼ିସାରିଥିଲା।

ସମ୍ବନ୍ଧିତ ଖବର