ମିଛ ତେଲ ବିଲ୍‌ ଦେଇଥିବା ଅଭିଯୋଗ: ଓଟିଡିସିର ଦୁଇ କର୍ମଚାରୀ ନିଲମ୍ବିତ

ଭୁବନେଶ୍ବର : ମିଛ ତେଲ ବିଲ୍‌ ଦେଇ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଦୁଇ ଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସେମାନେ ହେଲେ ପରିବହନ ମ୍ୟାନେଜର ଅକ୍ଷୟ ମହାଳିକ ଓ ଡ୍ରାଇଭର୍‌ ଅତୁଲ୍ୟ କୁମାର ମହାନ୍ତି। ଓଟିଡିସି ଅଧ୍ୟକ୍ଷ ବ୍ୟବହାର କରୁଥିବା ଇନୋଭା ଗାଡ଼ିରେ ଗତ ଚାରି ବର୍ଷରେ ପ୍ରାୟ ୩୦ ଲକ୍ଷ ଟଙ୍କାର ତେଲ ପଡ଼ିଥିଲା। ଏ ନେଇ ଅଭିଯୋଗ ହେଲା ପରେ ନିଗମ ପକ୍ଷରୁ ପ୍ରାଥମିକ ଭାବେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦୁଇ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ ତଦନ୍ତ ଆରମ୍ଭ ହୋଇଛି।

ଓଟିଡିସି ଅଧ୍ୟକ୍ଷ ଓଡି-୦୨- ଏଡବ୍ଲ୍ୟୁ-୬୦୦୧ ନମ୍ବରର ଇନୋଭା ଗାଡ଼ି ବ୍ୟବହାର କରନ୍ତି। ୨୦୧୮-୧୯ ମସିହାରେ ତତ୍‌କାଳୀନ ଅଧ୍ୟକ୍ଷଙ୍କ ଗାଡ଼ି ତେଲ ବାବଦକୁ ୪ ଲକ୍ଷ ୯୩ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୯ ଅଗଷ୍ଟ ମାସରେ ଶ୍ରୀମୟୀ ମିଶ୍ର ଅଧ୍ୟକ୍ଷା ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କ ଗାଡ଼ିରେ ତେଲ ଖର୍ଚ୍ଚ ବାବଦକୁ ୨୦୧୯-୨୦ରେ ୭,୩୦,୦୧୧ ଟଙ୍କା, ୨୦୨୦-୨୧ରେ ୭,୯୨,୯୨୯ ଟଙ୍କା ଓ ୨୦୨୧-୨୨ରେ ୯,୪୨,୬୬୩ ଟଙ୍କା ଖର୍ଚ୍ଚ ହୋଇଛି। ଏମିତିରେ ଚାରି ବର୍ଷରେ ପାଖାପାଖି ୩୦ ଲକ୍ଷ ଟଙ୍କା ତେଲ ବାବଦକୁ ଖର୍ଚ୍ଚ ହୋଇଛି।

ସମ୍ବନ୍ଧିତ ଖବର