ରାଉରକେଲା: ବିଭିନ୍ନ କାମରେ ଦୁର୍ନୀତିକୁ ନେଇ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ଚର୍ଚ୍ଚାରେ ରହିଛି। ମ୍ୟାନେଜର ମୋହିତ ଶ୍ରୀବାସ୍ତବ ହସ୍ପିଟାଲକୁ ସଠିକ୍‌ ପରିଚାଳନା ପରିବର୍ତ୍ତେ ଠିକାସଂସ୍ଥାଗୁଡ଼ିକର ସ୍ବାର୍ଥକୁ ସର୍ବାଧିକ ଗୁରୁତ୍ବ ଦେଉଥିଲେ। ଫଳରେ ଆର୍‌ଜିଏଚ୍‌ରେ କିଣାଯାଇଥିବା କୋଟି କୋଟି ଟଙ୍କାର ମେସିନ୍‌ ଖତ ଖାଉଛି। ଅକ୍ସିଜେନ୍‌ ଅଭାବ ଦୂର କରିବାକୁ କୋଭିଡ୍‌ ସମୟରେ ଆର୍‌ଜିଏଚ୍‌ କ୍ୟାମ୍ପସ୍‌ ପରିସରରେ ୩ଟି ଅକ୍ସିଜେନ୍‌ ପ୍ଲାଣ୍ଟ ସ୍ଥାପନ କରାଯାଇଥିଲା।

Advertisment

ଏଥି ମଧ୍ୟରୁ ଗୋଟିଏ ରାଜ୍ୟ ଓ ଅନ୍ୟଟି କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ଏଠାରୁ ଅକ୍ସିଜେନ୍‌ ସିଧାସଳଖ ଗ୍ୟାସ୍‌ ପାଇପ୍‌ ଯୋଗେ ଆର୍‌ଜିଏଚ୍‌ର ବିଭିନ୍ନ ୱାର୍ଡକୁ ଯୋଗାଇ ଦିଆଯାଉଥିଲା। ଏବେ ଗୋଟିଏ ମାତ୍ର କାର୍ଯ୍ୟକ୍ଷମ ରହିଛି। ଅନ୍ୟ ଦୁଇଟି ପ୍ରାୟ ୨ ବର୍ଷ ହେବ ଅଚଳ ହୋଇପଡ଼ିଛି। ମରାମତି ପାଇଁ ଆର୍‌ଜିଏଚ୍‌ ପକ୍ଷରୁ ଥରେ ନୁହେଁ ଏକାଧିକବାର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ରୋଗୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ସ୍ଥାପନ ଅକ୍ସିଜେନ୍‌ ପ୍ଲାଣ୍ଟରୁ ପାଇପ୍‌ ଯୋଗେ ସିଧାସଳଖ ଆଇସୋଲେସନ୍‌, କ୍ୟାବିନ୍‌ ୱାର୍ଡକୁ ଯୋଗାଇ ଦିଆଯାଉଥିଲା।

କେନ୍ଦ୍ରସରକାରଙ୍କ ପ୍ଲାଣ୍ଟରୁ ମାତୃଶିଶୁ ହସ୍ପିଟାଲ ଓ ମେଡିସିନ୍‌ ୱାର୍ଡକୁ ସିଧାସଳଖ ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଣ ହେଉଛି। ଏମ୍‌ସିଏଚ୍‌ ଓ ମେଡ଼ିସିନ୍‌ ୱାର୍ଡକୁ କାର୍ଯ୍ୟକ୍ଷମ ତୃତୀୟ ଅକ୍ସିଜେନ୍‌ ପ୍ଲାଣ୍ଟକୁ କିଛି ପରିମାଣରେ ଗ୍ୟାସ୍‌ ଯୋଗାଇ ଦିଆଯାଉଛି। ଯାହା ପର୍ଯ୍ୟାପ୍ତ ହେଉ ନଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବିକଳ୍ପ ବ୍ୟବସ୍ଥା ସ୍ବରୂପ ଆର୍‌ଜିଏଚ୍‌ ପକ୍ଷରୁ ସିଲିଣ୍ଡର ଯୋଗାଇ ଦିଆଯାଉଥିଲେ ହେଁ ଅଧିକାଂଶ ସମୟରେ ରୋଗୀମାନଙ୍କୁ ଠିକ୍‌ ସମୟରେ ଅକ୍ସିଜେନ୍‌ ମିଳିପାରୁ ନାହିଁ ବୋଲି ରୋଗୀଙ୍କ ସମ୍ପର୍କୀୟ ଅଭି‌ଯୋଗ କରିଛନ୍ତି। ରୋଗୀଙ୍କ ସ୍ବାର୍ଥଦୃଷ୍ଟିରୁ ପ୍ରାଥମିକ ଭତ୍ତିରେ ଦୁଇଟି ଅକ୍ସିଜେନ୍‌ ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ କରିବାର ଆବଶ୍ୟକତା ରହିଛି। ଏ ସମ୍ପର୍କରେ ହସ୍ପିଟାଲ ମ୍ୟାନେଜର ସୋନାଲି କର କହିଛନ୍ତି, ମରାମତି ପାଇଁ ରାଜ୍ୟ ସରକାରଙ୍କୁ ଅନେକ ଥର ଅବଗତ କରାଯାଇଛି। କିନ୍ତୁ ସେମାନେ ଏ ଦିଗରେ କୌଣସି ପଦକ୍ଷେପ ନେଉ ନଥିବାରୁ ଏଭଳି ସମସ୍ୟା ଉପୁଜିଛି।