ଜୀବନ ହାରିଲେ ଦୁଇ ଯୋଡ଼ା ପ୍ରେମୀଯୁଗଳ

ଚନ୍ଦାହାଣ୍ଡି/ପାପଡ଼ାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଏବଂ ପାପଡ଼ାହାଣ୍ଡି ବ୍ଲକ୍‌ରେ ଅଭାବନୀୟ ତଥା ଦୁଃଖଦ ଘଟଣା ଘଟିଛି। ସାମାଜିକ ସ୍ବୀକୃତି ମିଳିଲାନି ଏବଂ ପ୍ରେମରେ ପରିବାର ହିଁ ପ୍ରବିନ୍ଧକ ସାଜିବାରୁ ଦୁଇ ଯୋଡ଼ା ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି। ପୃଥକ ପୃଥକ ସ୍ଥାନରୁ ଶନିିବାର ସକାଳେ ଶବ ଉଦ୍ଧାର କରାଯାଇଛି। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଚନ୍ଦାହାଣ୍ଡି ଥାନା ଅଧୀନସ୍ଥ ଶରଧାପୁର ଗାଁ ଠାରୁ ଅଳ୍ପ ଦୂରରେ ଗୋଟିଏ ବବୁଲ ଗଛରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା। ମୃତ ଯୁବତୀ ଜଣକ ଶରଧାପୁର ଗାଁର ଜଗଦୀଶ ମାଝୀଙ୍କ ଝିଅ ଦ୍ରୌପଦୀ ମାଝୀ (୨୨) ବୋଲି ଚିହ୍ନଟ କରାଯାଇଥିଲା। ବର୍ଷକ ତଳେ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲା ସିନାପାଲି ଗାଁରେ ଦ୍ରୌପଦୀ ବିବାହ କରିଥିଲେ। ତେବେ ୪ ମାସ ତଳେ ସ୍ବାମୀଙ୍କୁ ଛାଡ଼ି ନିଜ ବାପାଙ୍କ ଘରକୁ ଚାଲି ଆସିଥିଲେ। ପରିବାର ପକ୍ଷରୁ ବୁଝାସୁଝା ପରେ ବହୁ କଷ୍ଟରେ ସ୍ବାମୀଙ୍କ ଘରେ ନେଇ ଛାଡ଼ି ଆସିଥିଲେ। କିନ୍ତୁ ୧୫ଦିନ ତଳେ ଶରଧାପୁର ଗାଁର ନେଙ୍ଗୀ ପୂଜାରୀଙ୍କ ପୁଅ କାମଦେବ ପୂଜାରୀ (୨୩) ଖୋଜାଖୋଜି କରି ଛତିଶଗଡ଼ର ସିନାପାଲି ଗାଁରେ ପହଞ୍ଚି ଯାଇଥିଲେ। ଏହାପରେ ଦ୍ରୌପଦୀଙ୍କୁ ନେଇ କାମଦେବ କେଉଁ ଆଡ଼େ ଚାଲି ଯାଇଥିଲେ। ଗତକାଲି ସନ୍ଧ୍ୟାରେ ପ୍ରେମୀ ଯୁଗଳ ଶରଧାପୁର ଗ୍ରାମରେ ପହଞ୍ଚିଥିଲେ। କାମଦେବଙ୍କ ଘରକୁ ଯାଇ ରାତିରେ ରହିଥିବା ବେଳେ ଆଜି ସକାଳେ ଖୋଜିବା ବେଳକୁ ଘରେ ସେମାନେ ନଥିଲେ। ସକାଳୁ ସକାଳୁ ଦୁହିଁଙ୍କର ଶବ ଗୋଟିଏ ଗଛରେ ଝୁଲିଥିବା ଦେଖିବାକୁ ମିଳିଥିଲା। ଏନେଇ ଉଭୟ ପରିବାର ପକ୍ଷରୁ ପରମାନନ୍ଦ ମାଝୀ ଓ ନେଙ୍ଗୀ ପୂଜାରୀ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଥିଲେ। ଥାନା ଅଧିକାରୀ ପରମାନନ୍ଦ ସୁନାନୀ ଓ ଏଏସ୍‌ଆଇ ହୃଷୀକେଶ ପଟେଲ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ସେହିପରି ପାପଡ଼ାହାଣ୍ଡି ବ୍ଲକ୍‌ ଚେରଚେଟା ପଞ୍ଚାୟତ ଅନ୍ତର୍ଗତ ବତାସର ଜଙ୍ଗଲରୁ ଆଜି ସକାଳେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ମୃତ ଯୁବତୀ ଚେରଚେଟା ପଞ୍ଚାୟତ ଅନ୍ତର୍ଗତ କଦଭଟା ଗାଁର ଗ୍ରାମର ସୁକୁମନ ଭତରାଙ୍କ ଝିଅ ସାବିତ୍ରୀ ଭତରା (୧୮) ବୋଲି ଜଣାପଡିଛି। ଏ ନେଇ ଯୁବତୀଙ୍କ ଜେଜେବାପା କେଶବ ଭତରା ପାପଡାହାଣ୍ଡି ଥାନାରେ ଏତଲା ଦେଇଛନ୍ତି। ଆଜି ସକାଳେ ଜଙ୍ଗଲରେ ନାତୁଣୀ ସାବିତ୍ରୀ ଭଲ ପାଉଥିବା ଜଣେ ଅଜଣା ଯୁବକ ସହ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଖବର ପାଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି କେଶବ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ମୃତ ଯୁବକଙ୍କୁ ଚିହ୍ନଟ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ପଚରାଉଚୁରା କରିବା ପରେ ଡାବୁଗାଁ ବ୍ଲକ୍‌ ବଡ଼କଇଲାରୀ ଗ୍ରାମର ବୁଦୁରା ଭତରାଙ୍କ ପୁଅ ବିଷ୍ଣୁ ଭତର (୧୯) ବୋଲି ଜଣାପଡ଼ିଥିଲା। ଦୁହିଁଙ୍କ ମଧ୍ୟରେ ବହୁ ଦିନ ଧରି ପ୍ରେମ ସଂପର୍କ ରହିଥିଲା। ପରସ୍ପର ସହ ନିୟମିତ ଭାବେ ମୋବାଇଲ ଫୋନ୍‌ରେ କଥାବର୍ତ୍ତା କରୁଥିଲେ। ଯୁବତୀଙ୍କ ପରିବାର ଲୋକ ଏ ନେଇ ଜାଣିବା ପରେ ମୋବାଇଲ ଛଡ଼ାଇ ରଖିଥିଲେ। ତେବେ ଗତକାଲି ରାତିରେ ପରିବାର ଲୋକ ଶୋଇ ପଡ଼ିବା ପରେ ସାବତ୍ରୀ ଘର ବାହାରକୁ ଚାଲି ଯାଇଥିଲା। ପ୍ରେମିକ ସହ ଏଭଳି ଚରମ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ପାପଡ଼ାହାଣ୍ଡି ଥାନାରେ ଅପମୃତ୍ୟୁ ମାମଲା ରୁଜୁ ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ଥାନା ଅଧିକାରୀ ଶୁଭେନ୍ଦୁ ଶବର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର