ଆବାସ ଚୋରି, ପାନୀୟଜଳ ଯୋଗାଣ ଦୁର୍ନୀତି: ନିଲମ୍ବିତ ହେଲେ ଦୁଇ ପଞ୍ଚାୟତ ନିର୍ବାହୀ ଅଧିକାରୀ

ଯାଜପୁର/ସଦର/ବିଂଝାରପୁର : ବିଂଝାରପୁର ବ୍ଲକରେ ଆବାସ ଚୋରି ଓ ବଡ଼ଚଣା ବ୍ଲକ ମଝିପଡ଼ା ପଞ୍ଚାୟତରେ ପାନୀୟଜଳ ଯୋଗାଣ ଅର୍ଥ ତୋସରପାତ ଘଟଣାରେ ଦୁଇଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ସୋମବାର ଦିନ ଯାଜପୁର ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି।

ବିଂଝାରପୁର ବ୍ଲକ୍‌ର ଆବାସ ଚୋରି ଘଟଣାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ମହଲା କିଛି ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଟଙ୍କା ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବ୍ୟାଙ୍କଖାତାରେ ପୈଠ କରିଥିଲେ। ଆବାସ କେଳେଙ୍କାରୀ ଘଟଣା ଜଣାପଡ଼ିବା ପରେ ସଂପୃକ୍ତ ଅଯୋଗ୍ୟ ବ୍ୟକ୍ତି ଟଙ୍କା​ ଫେରାଇ ଦେଇଥିଲେ। ବିଂଝାରପୁର ବ୍ଲକ୍‌ର କଏଣା ରଘୁନାଥପୁର ପଞ୍ଚାୟତରେ ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ଜଣକ ନାମରେ ଏବଂ ଟଙ୍କା ଅନ୍ୟ ଜଣଙ୍କ ନାଁରେ ଦିଆଯାଇଥିଲା। କେତେକ ଯୋଗ୍ୟ ଲୋକଙ୍କ ନାଁରେ କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ‌ଅଯୋଗ୍ୟ ଲୋକଙ୍କ ଆକାଉଣ୍ଟରେ ଟଙ୍କା ପୈଠ ହୋଇଥିଲା। ଏହି ଅନିୟମିତତାରେ କଏଣା-ରଘୁନାଥପୁର ପଞ୍ଚାୟତର ତତ୍କାଳୀନ ପିଇଓ କୃଷ୍ଣଚନ୍ଦ୍ର ମହଲା ସମ୍ପୃକ୍ତ ଥିଲେ।

ହିତାଧିକାରୀ ଗୀତା ପାଣ୍ଡବଙ୍କୁ ଘର ପାଇଁ କାର୍ଯ୍ୟାଦେଶ ମିଳିଥିବାବେଳେ ତାଙ୍କ ବଦଳରେ ପଞ୍ଚାୟତର ସୁମାନସ ପଣ୍ଡାଙ୍କ ଆକାଉଣ୍ଟରେ ଟଙ୍କା ପୈଠ ହୋଇଥିଲା। ସୁମାନସ ୨୦୦୭ ରୁ ୨୦୧୨ ମସିହା ପର୍ଯ୍ୟନ୍ତ ଜିଲ୍ଲାପରିଷଦ ସଭ୍ୟ ଭାବେ କାର୍ଯ୍ୟ କରୁଥିଲେ। ଏବେ ସେ ଶାସକଦଳର ଜଣେ ଛାମୁଆଁ କର୍ମକର୍ତ୍ତା। ଟଙ୍କା ହଡ଼ପ ଜଣାପଡ଼ିବା ପରେ ୮ ଦିନ ତଳେ ଶ୍ରୀ ପଣ୍ଡା ବ୍ଲକ୍‌ କାର୍ଯ୍ୟାଳୟରେ ଦେଢ଼ଲକ୍ଷ ଟଙ୍କା ପୈଠ କରିଛନ୍ତି। ପିଇଓ ମହଲାଙ୍କ ସମୟରେ ମୋଟ ୯ଟି ଅଭିଯୋଗ ଆସିଥିବା ବେଳେ ଆହୁରି ୮ଟି ଘଟଣାରେ ଟଙ୍କା ଫେରସ୍ତ ବାକି ରହିଛି। ଏହି ମାମଲାଗୁଡ଼ିକରେ ବ୍ଲକ୍‌ କାର୍ଯ୍ୟାଳୟକୁ ଟଙ୍କା ଫେରସ୍ତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପିଇଓ ମହଲା ଏବେ ବିଂଝାରପୁର ପଞ୍ଚାୟତରେ କାର୍ଯ୍ୟରତ ଅଛନ୍ତି। ଅନ୍ୟପଟେ ଟଙ୍କା ଫେରାଇଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ସୂଚନା ମିଳିଛି।

ସେହିପରି ମଝିପଡ଼ା ପିଇଓ ପ୍ରଶାନ୍ତ କୁମାର ଜେନା ପାନୀୟଜଳ ଯୋଗାଣ ନାଁରେ ଅର୍ଥ ତୋସରପାତ କରିଥିଲେ। ସମ୍ବାଦରେ ଖବର ପ୍ରକାଶ ପରେ ସେ ୨ ଲକ୍ଷ ୪୨ ହଜାର ଟଙ୍କା ପଞ୍ଚାୟତ ଖାତାକୁ ଫେରାଇଥିଲେ। ସେହିପରି ବରପଦା ପଞ୍ଚାୟତ ଦାୟିତ୍ବରେ ମଧ୍ୟ ଶ୍ରୀ ଜେନା ଅଛନ୍ତି ଏବଂ ଏଠାରେ ମଧ୍ୟରେ ସେ ଅର୍ଥ ପାନୀୟଜଳ ଯେଗାଣ ଅର୍ଥ ତୋସରପାତ କରିଥିଲେ। ଖବର ପ୍ରକାଶ ପରେ ସେଠାରେ ମଧ୍ୟ ୨ଲକ୍ଷ ୪୨ ହଜାର ଟଙ୍କା ଫେରସ୍ତ କରିଥିଲେ। ଏହି ଘଟଣାରେ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟିକୁ ଆସିବା ପରେ ଏହାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ। ଘଟଣାର ଅନୁସନ୍ଧାନ କରି ସତ୍ୟାସତ୍ୟ ଜାଣିବା ପରେ ପିଇଓ ଜେନାଙ୍କୁ ମଧ୍ୟ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ନିଲମ୍ବିତ କରିଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର