ବୁର୍ଲା : ଶନିବାର ଦିନ ବୁର୍ଲା ଭିମ୍ସାରରେ ୮୩ ଜଣ ରୋଗୀଙ୍କ ଆର୍ଟିପିସିଆର ଟେଷ୍ଟ୍ ହୋଇଥିବା ବେଳେ ୨ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଆଜି ଦ୍ଵିତୀୟ କୋଭିଡ଼ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସିତ ଅବସ୍ଥାରେ ୨ ଜଣ କୋଭିଡ଼ ରୋଗୀ ମୃତ୍ୟୁ ବରଣ କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳା ରୋଗୀ ହୋଇଥିବା ଜଣାପଡ଼ିଛି। ପୁରୁଷ ରୋଗୀ ଜଣକ ଝାରସୁଗୁଡା ଜିଲ୍ଲା ନିବାସୀ ଓ ମହିଳା ଜଣକ ସମ୍ବଲପୁର ଜିଲ୍ଲାର ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି।
ଅନ୍ୟ ପକ୍ଷରେ ଦ୍ବିତୀୟ କୋଭିଡ଼ ହସ୍ପିଟାଲରେ ଶନିବାର ଦିନ ରୋଗୀ ସଂଖ୍ୟା ୭୯ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣ ଆଇସିୟୁରେ ଅଛନ୍ତି। ୪ ଜଣ ସୁସ୍ଥ ହୋଇ ଘରକୁ ଯାଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି । ୪ ଜଣକ ମଧ୍ୟରୁ ଗତ ୧୬ ତାରିଖରେ ଭର୍ତ୍ତି ହୋଇଥିବା ଜଣେ ଶିଶୁ ମଧ୍ୟ ଥିବା ସୂଚନା ମିଳିଛି। ୭୯ ଜଣ ରୋଗୀଙ୍କ ମଧ୍ୟରୁ ୪୦ଜଣ ପୁରୁଷ ଓ ୩୯ଜଣ ମହିଳା ରୋଗୀ ଅଛନ୍ତି। ପ୍ରଥମ କୋଭିଡ଼ ହସ୍ପିଟାଲରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଓ ସର୍ଜରି ବିଭାଗର ୧୨ଜଣ ରୋଗୀ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ବୋଲି ଦ୍ଵିତୀୟ କୋଭିଡ଼ ହସ୍ପିଟାଲର ଇନ୍ଚାର୍ଜ ଡାକ୍ତର ୱାଇ.ପି. ସାହୁ ସୂଚନା ଦେଇଛନ୍ତି।