ଜଗତସିଂହପୁର: ତିର୍ତ୍ତୋଲ ସିରସ୍ତା ଟିପିରି ଗାଁରେ ସମ୍ପର୍କୀୟ ଦାଦା-ପୁତୁରାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ଗୋପୀନାଥ ସାମଲ(୭୧) ଓ ବିଭୂତି ସାମଲ(୫୪)। ବିଷାକ୍ତ ମଦ ପିଇ ସେମାନଙ୍କର ମୃତ୍ୟୁ ହୋଇଛି ବୋଲି ଗାଁର କେତେକ ଲୋକ କହୁଥିବା ବେଳେ ଛତୁ ଔଷଧ ପିଇ ମୃତ୍ୟୁ ହୋଇଥିବା ଏସ୍ପି ଭବାନୀ ଶଙ୍କର ଉଦ୍ଗାତା ସୂଚନା ଦେଇଛନ୍ତି। ଶବ ବ୍ୟବଚ୍ଛେଦ ଓ ଫୋରେନସିକ୍ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଗୋପୀନାଥ ଜଗତସିଂହପୁରକୁ କୌଣସି କାମରେ ଯାଇ ରାତି ପ୍ରାୟ ସାଢ଼େ ୮ଟାରେ ଘରକୁ ଫେରିଥିଲେ। ତାଙ୍କର ପଡ଼ୋଶୀ ବିଭୂତିଙ୍କର ଗାଁରେ ଏକ ପାନ ଦୋକାନ ରହିଛି। ଉଭୟ ସାଙ୍ଗ ହୋଇ ଗୋପୀନାଥଙ୍କ ଘରକୁ ଆସିଥିଲେ। କିଛି ସମୟ ପରେ ବିଭୂତି ନିଜ ଘରକୁ ଯାଇଥିଲେ। ତେବେ ଉଭୟ ଗୋପୀନାଥ ଓ ବିଭୂତିଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକ ସେମାନଙ୍କୁ ତୁରନ୍ତ ପାଟକୁରା ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ କେନ୍ଦ୍ରାପଡ଼ା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ବିଷାକ୍ତ ମଦ ପିଇ ଜୀବନ ଯାଇଥିବା କେତେକ ଲୋକ ପ୍ରକାଶ କରିଛନ୍ତି।
ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
ଛତୁ ଚାଷରେ ବ୍ୟବହୃତ ଔଷଧ ପିଇଥିବା ସନ୍ଦେହ: ଏସ୍ପି
ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ କାରଣ
ଖବରପାଇ ଏସ୍ପି ଭବାନୀ ଶଙ୍କର ଉଦଗାତା, ତିର୍ତ୍ତୋଲ ଏସ୍ଡିପିଓ, ତିର୍ତ୍ତୋଲ ଥାନାଧିକାରୀ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ଗୋପୀନାଥଙ୍କ ଘରୁ ଗୋଟିଏ ବୋତଲ ଓ ଦୁଇଟି ଗ୍ଲାସ ଜବତ କରାଯାଇଛି। ଏସ୍ପି ଶ୍ରୀ ଉଦ୍ଗାତା କହିଛନ୍ତି, ଗୋପୀନାଥଙ୍କ ଘରେ ଛତୁରେ ସିଞ୍ଛନ ପାଇଁ ବ୍ୟବହୃତ ଔଷଧ ଗୋଟିଏ ବୋତଲରେ ଥିଲା। ତାହାକୁ ଉଭୟ ପାଣି ଭାବି ପିଇବାରୁ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଏପରିକି ଶବ ବ୍ୟବଚ୍ଛେଦ କରୁଥିବା ଡାକ୍ତର ମଧ୍ୟ ଏହା ସନ୍ଦେହ କରିଛନ୍ତି। ଏଥିସହ ଉଭୟ ପ୍ରଚୁର ମଦ୍ୟପାନ କରିଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯିବ ବୋଲି ଏସ୍ପି ଶ୍ରୀ ଉଦଗାତା କହିଛନ୍ତି। ଜବତ ଗ୍ଲାସ, ବୋତଲକୁ ପରୀକ୍ଷା ଲାଗି ଫୋରେନସିକ୍ ଲାବରେଟୋରିକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ଏ ନେଇ ଅଧିକ ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ପୁଲିସ କହିଛି। ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବ୍ୟବଚ୍ଛେଦ ଓ ଫୋରେନସିକ୍ ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/20/D7KNidpLc1sgntbZVcn0.jpg)