ଭୁବନେଶ୍ୱର : ଚଳିତ ବର୍ଷ ଜୁଲାଇରେ ଭଲ ବର୍ଷା ହୋଇଛି। ମାସ ଆରମ୍ଭରୁ ଏପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକଠାରୁ ୨ ପ୍ରତିଶତ ଅଧିକ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୪୭୬.୮ ମିମି ବର୍ଷା ହୋଇଥାଏ। କିନ୍ତୁ ଏଥର ସର୍ବମୋଟ ୪୮୮.୫ ମିମି ହୋଇଛି। ଏହା ଚାଷ କାର୍ଯ୍ୟ ପାଇଁ ଅନୁକୂଳ ବାତାବରଣ ତିଆରି କରିଛି ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ, ଗତ ୨୫ ଦିନରେ ରାଜ୍ୟର ୫ ଜିଲ୍ଲାରେ ଅତିରିକ୍ତ ବର୍ଷା ଅର୍ଥାତ ୨୦%ରୁ ଅଧିକ ବର୍ଷା ହୋଇଛି। ବୌଦ୍ଧରେ ସର୍ବାଧିକ ୫୪% ଅଧିକ ବର୍ଷା ହୋଇଥିବା ବେଳେ କନ୍ଧମାଳରେ ୪୬% ଅଧିକ ହୋଇଛି। ମାଲକାନଗିରି, ଜଗତସିଂହପୁର ଓ ଢେଙ୍କାନାଳରେ ମଧ୍ୟ ବର୍ଷାର ପରିମାଣ ୨୦%ରୁ ଅଧିକ ରହିଛି। କେବଳ ଗୋଟିଏ ଜିଲ୍ଲା ସୁନ୍ଦରଗଡ଼ରେ ୩୬% ନିଅଣ୍ଟିଆ ବର୍ଷା ହୋଇଛି। ଏହାବ୍ୟତୀତ ଜୁଲାଇରେ ରାଜ୍ୟର ସବୁ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି।
ସୋମବାର ଦିନ ରାଜ୍ୟରେ ଦିନତମାମ ବର୍ଷା ଲାଗି ରହିଥିଲା। ଖୋର୍ଧା ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ, କୋରାପୁଟ, ନବରଙ୍ଗପୁର, କଟକ ଓ ଢେଙ୍କାନାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା। ଆସନ୍ତାକାଲି ରାଜ୍ୟରେ ବର୍ଷାର ପ୍ରଭାବ ଅପେକ୍ଷାକୃତ କମ୍ ରହିବ। ତେବେ ଆଭ୍ୟନ୍ତର ଓଡ଼ିଶାର କିଛି ଜିଲ୍ଲାରେ ବେଶି ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅଧିକ ବର୍ଷା ହେବା ସହ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଓ ବରଗଡ଼ ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୨୭ ତାରିଖରୁ ପାଗ ଶୁଖିଲା ରହିବ। କିଛି ସ୍ଥାନରେ ପରିଚଳନଜନିତ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଆଜି ରାଜଧାନୀ ଓ ଆଖପାଖ ଅଞ୍ଚଳର ପାଗ ମେଘୁଆ ରହିବ। ବର୍ଷା ମଧ୍ୟ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି।