ରାଉରକେଲା: କାର୍ରେ ଦେଶୀ ମଦ ଚୋରାଚାଲାଣ କରୁଥିଲେ ଦୁଇ ଅଭିଯୁକ୍ତ। ତେବେ ଛୋଟ ବେପାରିଙ୍କ ପାଖରେ ମଦ ପହଞ୍ଚିବା ପୂର୍ବରୁ ଆଗରୁ ଜଗି ରହିଥିବା ଅବକାରୀ ପୁଲିସ ଉଭୟଙ୍କୁ କାବୁ କରିନେଇଛି। ଏହାସହ ଲାଠିକଟା ଥାନା ଅନ୍ତର୍ଗତ କରଲାଖମଣରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ବାଲିଆମ୍ବାର କରଣ ସିଂହ(୨୩) ଓ ମତକିଝରଣର ମାର୍କସ୍ ମୁଣ୍ଡା(୧୯)। ସେମାନଙ୍କ ପାଖରୁ ୨୫୦ ଲିଟର ଦେଶୀ ମଦ ଓ ମଦ ଚୋରାଚାଲାଣରେ ବ୍ୟହୃତ କାର୍ ଜବତ ହୋଇଛି।
ଆଜି ପୂର୍ବାହ୍ନରେ ଦୁଇ ଅଭିଯୁକ୍ତ କରଣ ଓ ମାର୍କସ୍ ଏକ ହ୍ୟୁଣ୍ଡାଇ ସାଣ୍ଟ୍ରୋ କାର୍(ଓଆର୍-୧୬-ବି-୨୬୩୬)ରେ ଲାଠିକଟା ବ୍ଳକ ଅନ୍ତର୍ଗତ ମନକୋ କରଲାଖମଣ ଅଞ୍ଚଳରୁ ଜଳଦାକୁ ଦେଶୀ ମଦ ଚୋରାଚାଲାଣ କରୁଥିଲେ। ଏନେଇ ଅବକାରୀ ପୁଲିସ ଗୁପ୍ତ ସୂଚନା ପାଇଥିଲା। ଯୋଜନା ମୁତାବକ ଅବକାରୀ ପୁଲିସ ଜାଲ ବିଛାଇଥିଲା। ଦୁଇ ଅଭିଯୁକ୍ତ ମଦ ଭର୍ତ୍ତି କାର୍ରେ କରଲାଖମଣ ରେଳ ଫାଟକ ନିକଟରେ ଅଟକିଥିବାବେଳେ ପୂର୍ବରୁ ଜଗି ରହିଥିବା ଅବକାରୀ ପୁଲିସ ସେମାନଙ୍କୁ ଗିରଫ କରିନେଇଥିଲା। ଏହି ଦୁଇ ଅଭିଯୁକ୍ତ ବେଶ୍ କିଛି ଦିନ ହେଲା ଛୋଟଛୋଟ ବେପାରିଙ୍କୁ ବୁଲିବୁଲି ମଦ ଯୋଗାଇଥାନ୍ତି। ଏହି କ୍ରମରେ ଆଜି ଜଲଦା ଅଞ୍ଚଳରେ ଥିବା ମଦ ବେପାରିଙ୍କୁ ମଦ ବାଣ୍ଟିବାକୁ ଘରୁ ବାହାରିଥିଲେ। ତେବେ ଅଧା ବାଟରେ ଉଭୟଙ୍କର ଯୋଜନା ଫସର ଫାଟିଯାଇଥିଲା।