ଘରୋଇ ମେଡିକାଲ୍ କଲେଜରେ ନାମଲେଖା ନାଁରେ ୩୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ: ୨ ଆନ୍ତଃରାଜ୍ୟ ଠକ ଗିରଫ

ଭୁବନେଶ୍ବର: ବେସରକାରୀ ମେଡିକାଲ୍ କଲେଜରେ ଏମବିବିଏସ୍ ପାଠ୍ୟକ୍ରମରେ ନାମଲେଖା ନାଁରେ ୩୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୨ ଆନ୍ତଃରାଜ୍ୟ ଠକ ଗିରଫ ହୋଇଛନ୍ତି।
ସୂଚନା ଅନୁଯାୟୀ, ଏକ ଘରୋଇ ମେଡିକାଲ୍ କଲେଜରେ ପିଜି ପାଠ୍ୟକ୍ରମରେ ନାମ ଲେଖାଇବାର ବ୍ୟବସ୍ଥା କରାଇଦେବେ ବୋଲି କହି ଜଣେ ଛାତ୍ରୀଙ୍କଠାରୁ ୨ ଆନ୍ତଃରାଜ୍ୟ ଠକ ଅଭିମନ୍ୟୁ କୁମାର ସିଂହ ଓ ସୁଗତ ଚୌଧୁରୀ ୩୦ ଲକ୍ଷ ଟଙ୍କା ନେଇଥିଲେ। ହେଲେ ପରେ ସେଦୁହେଁ ଛାତ୍ରୀଙ୍କୁ ଧରାଛୁଆଁ ଦେଇ ନଥିଲେ। ଏହାପରେ ବାଧ୍ୟ ହୋଇ ଛାତ୍ରୀଜଣକ ଏନେଇ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଉଭୟ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି।
ଦୁହିଁଙ୍କ ଭିତରୁ ଜଣେ କୋଲକାତାରୁ ଓ ଆଉ ଜଣେ ପାଟନାରୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଥିବା ନେଇ ଇନଫୋସିଟି ଥାନା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଉଭୟଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି। ଏହି ଆନ୍ତଃରାଜ୍ୟ ଠକଙ୍କ ରାକେଟକୁ ଧରିବା ଲାଗି ଇନଫୋସିଟି ଥାନା ପୁଲିସ୍ ଉଦ୍ୟମ ଜାରି ରଖିଛି।

ଅଭିଯୁକ୍ତ ଅଭିମନ୍ୟୁ କୁମାର ସିଂହ ଓ ସୁଗତ ଚୌଧୁରୀଙ୍କ ନିକଟରୁ ଠକେଇରେ ବ୍ୟବହୃତ ହୋଇଥିବା ୨ ଟି ଲାପଟପ, ୮ ଟି ମୋବାଇଲ ଓ ଗୋଟିଏ ଜାଲ ଆଧାରକାର୍ଡ ଜବତ ହୋଇଛି। କର୍ଣ୍ଣାଟକ, ବିହାର, କଲିକତା ଓ ଛତିଶଗଡ଼ ଭଳି ବିଭନ୍ନ ରାଜ୍ୟରେ ଏମିତି ଠକେଇ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ବିଭନ୍ନ ହସ୍ପିଟାଲରେ ଡାକ୍ତର ଥିବା କହି ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କୁ ଠକୁଥିଲେ ଦୁଇ ଠକ। ଇନଫୋସିଟି ଥାନାରେ ଗତ ୫ ତାରିଖରେ ଜଣେ ଯୁବତୀ ଅଭିଯୋଗ ଆଧାରରେ ତଦନ୍ତ କରୁଥିଲା ପୁଲିସ। ଏହି ଦୁଇ ଜଣ ଠକ ସେମାନଙ୍କର ନାଁ ବଦଳାଇ ଜାଲ ପରିଚୟ ପତ୍ର ତିଆରି କରି ବିଭନ୍ନ ରାଜ୍ୟ ବୁଲୁଥିଲେ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର