ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ପ୍ରଦାନରେ ଅନିୟମିତତା ମାମଲାରେ ଫେରାର୍‌ ଥିବା ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଛତିଶଗଡ଼ ରାଜ୍ୟରୁ ଗିରଫ କରିଛି। ଗିରଫ ଦ୍ବୟ ହେଲେ ଉକ୍ତ ପଞ୍ଚାୟତର ଜିଆର୍‌ଏସ୍‌ ବିପିନ ବେହେରା ଓ ଜିଓଟ୍ୟାଗର୍‌ ଗୋଲାପ ପୋଢ଼। ପୂର୍ବରୁ ଗତ ୧୮ ତାରିଖ ଦିନ ଏହି ମାମଲାରେ ଏହି ପଞ୍ଚାୟତର ଇଓ ଲଳିତ ମେହେର ଓ ଦୁଇ ନକଲି ହିତାଧିକାରୀ ଗିରଫ ହୋଇଥିଲେ।

Advertisment

ପୁଲିସର ସୂଚନା ଅନୁସାରେ, ତେଲେନପାଲି ପଞ୍ଚାୟତ କର୍ଲାମାଲ ଗାଁରେ ୨୦୧୮-୧୯ ଆର୍ଥିକ ବର୍ଷରେ କୌଶଲ୍ୟା ଚିରାଙ୍ଗୁଲ ନାମକ ହିତାଧିକାରୀଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମଞ୍ଜୁର ହୋଇଥିଲା। ତାଙ୍କ କୋଡ ବ୍ୟବହାର କରି ଗାଁର ଟିକେମଣି ବାଗଙ୍କୁ ଘର ଦିଆଯାଇଥିଲା। ଘର ନପାଇ କୌଶଲ୍ୟା ଅଭିଯୋଗ କରିଥିଲେ। ସେହିପରି ଯୁନାନୀବାହାଲ ଗାଁରେ ମଧ୍ୟ ଭୋଇ ମୁଣ୍ଡା ନାମରେ କେହି ନଥିବା ବେଳେ ତାଙ୍କ ନାମରେ ଘର ଦିଆଯାଇଥିବା ଅନ୍‌ଲାଇନ୍‌ରେ ଦର୍ଶାଯାଇଛି। ସେହି କୋଡ ବ୍ୟବହାର କରି ରୂପେ ଧରୁଆଙ୍କୁ ଘର ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ଅନିୟମିତତାରେ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲଳିତ ମେହେର, ତତ୍କାଳୀନ ଜିଆର୍‌ଏସ୍‌ ବିପିନ ବେହେରା, ଜିଓଟ୍ୟାଗର୍‌ ଗୋଲାପ ପୋଢ଼ ଦାୟୀ ବୋଲି ଜିଲ୍ଲା କର୍ତ୍ତୃପକ୍ଷ ଥାନାରେ ମାମଲା ରୁଜୁ କରିବାକୁ ଖପ୍ରାଖୋଲ ବିଡିଓ ବିଜୟ ହୋତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଖପ୍ରାଖୋଲ ଥାନା କେସ୍‌ ନଂ ୧୫୯/୨୩ରେ ଗତ ୫ ତାରିଖ ଦିନ ମାମଲା ରୁଜୁ ହୋଇଥିଲା। ଦୁଇ ନକଲି ହିତାଧିକାରୀ ଓ ପିଇଓଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିଲା। ଫେରାର୍‌ ଥିବା ଜିଆର୍‌ଏସ୍‌ ଓ ଜିଓଟ୍ୟାଗର୍‌ଙ୍କୁ ଛତିଶଗଡ଼ ରାଜ୍ୟ ସରାଇପାଲିର ଏକ ଗେଷ୍ଟହାଉସରୁ ଗିରଫ କରାଯାଇଥିଲା। ରବିବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।