ସୁନ୍ଦରଗଡ଼: ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ରାଜଧାନୀ ରାୟପୁର ତେଲିବନ୍ଧା ଥାନା ଲିଭାନିଠାରେ ଗୁଳିକାଣ୍ଡ ହୋଇଛି। ରାୟପୁରର ଜଣେ ବ୍ୟବସାୟୀ ସନ୍ଦୀପ କୁମାରଙ୍କୁ ଗୁଳି କରି ହତ୍ୟା ଉଦ୍ୟମ କରାଯାଇଛି। ଏହି ମାମଲାରେ ସୁପାରି କିଲର୍ ଗିରଫ ହୋଇଛି। ମାମଲାରେ ସୁନ୍ଦରଗଡ଼ ଲିଙ୍କ ଥିବା ଜଣାପଡ଼ିଛି। ସୁନ୍ଦରଗଡ଼ର ସନ୍ତୋଷ ସିଂ ଓ ଝାରସୁଗୁଡ଼ର ଜଣେ ବ୍ୟବସାୟୀ ଘଟଣାର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି। ୨ ଜଣଙ୍କୁ ଟାଉନଥାନା ପୁଲିସ ଗିରଫ କରି ଛତିଶଗଡ଼ ପୁଲିସକୁ ହସ୍ତାନ୍ତର କରିଛି।
ପୁଲିସ ସୂଚନା ଅନୁସାରେ, ପରିବହନ ବ୍ୟବସାୟକୁ ନେଇ ଲାଗି ରହିଥିବା ଶତ୍ରୁତା କାରଣରୁ ସନ୍ଦୀପ କୁମାରଙ୍କୁ ହତ୍ୟା କରିବା ପାଇଁ ସନ୍ତୋଷ ସିଂ ଓ ଝାରସୁଗୁଡ଼ର ଜଣେ ବ୍ୟବସାୟୀ ଲେଫ୍ରିପଡ଼ା ଥାନା ଉଜ୍ବଳପୁରର ଅମନ ଶର୍ମା ନାମକ ଜଣେ ଯୁବକଙ୍କୁ ୧୦ ଲକ୍ଷ ଟଙ୍କାର ସୁପାରି ଦେଇଥିଲେ। ଅମନ ବୁଧବାର ସକାଳୁ ରାୟପୁର ତେଲିବନ୍ଧା ଥାନା ଲିଭାନିକୁ ଯାଇ ସନ୍ଦୀପଙ୍କୁ ଦେଶୀ ବନ୍ଧୁକର ୨ ରାଉଣ୍ଡ ଗୁଳି ମାରିଥିଲା। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଗୁରୁତର ସନ୍ଦୀପ ଏବେ ଆଇସିୟୁରେ। ଅନ୍ୟପଟେ ଘଟଣା ପରେ ତେଲିବନ୍ଧା ପୁଲିସ ଅମନକୁ ଗିରଫ କରି ପଚରାଉଚରା କରିବା ପରେ ସୁପାରି କଥା ସାମ୍ନାକୁ ଆସିଥିଲା। ଏହା ପରେ ସନ୍ତୋଷ ଓ ଝାରସୁଗୁଡ଼ାର ଜଣେ ବ୍ୟବସାୟୀଙ୍କୁ ଗିରଫ କରିବାକୁ ସୁନ୍ଦରଗଡ଼ ଆସିଥିଲା ତେଲିବନ୍ଧା ପୁଲିସ। ଆଉ ସନ୍ଧ୍ୟାରେ ମାଷ୍ଟର ମାଇଣ୍ଡ ସନ୍ତୋଷଙ୍କ ସମେତ ୨ ଜଣଙ୍କୁ ଟାଉନଥାନା ପୁଲିସ ଗିରଫ କରି ଛତିଶଗଡ଼ ପୁଲିସକୁ ହସ୍ତାନ୍ତର କରିଥିଲା।