ରାଉରକେଲା: ଆଜି ରାତି ପ୍ରାୟ ୮ଟାରେ ଜନଗହଳିପୂର୍ଣ୍ଣ ଅଞ୍ଚଳ ଡେଲିମାର୍କେଟରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଗୁରୁତର ଯୁବକ ଜଣକ ହେଲେ ଜନତାନିବାସ ଗଳିର ସାହିଲ ସିଂହ ଓରଫ୍‌ ଲାଲା। ପିଠିରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ଛୁରା ମାଡ଼ର କାରଣ ଅସ୍ପଷ୍ଟ ରହିଛି। ତିନି ଆକ୍ରମଣକାରୀଙ୍କ ମଧ୍ୟରୁ ଜଣକୁ ସାଧାରଣ ଲୋକେ ଧରି ନିର୍ଧୁମ ମାଡ଼ ମାରିଥିଲେ। ପୁଲିସ ପହଞ୍ଚି ଉତ୍ତେଜିତ ଲୋକଙ୍କ କବଳରୁ ଆକ୍ରମଣକାରୀ ଉଦ୍ଧାର କରିଥିଲା। ଏହି ଘଟଣାରେ ପୁଲିସ ଘଟଣାସ୍ଥଳରୁ ୨ ଜଣକୁ ଗିରଫ କରିଛି। ସେମାନେ ପାନପୋଷ କୋଏଲବ୍ୟାଙ୍କ ବସ୍ତିର। ବିଶ୍ରା ଅଞ୍ଚଳର ଅନ୍ୟ ଜଣେ ଯୁବକ ‌ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଛୁରାମାଡ଼କୁ କେନ୍ଦ୍ର କରି ଡେଲିମାର୍କେଟରେ ବେଶ୍‌ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Advertisment

publive-image

ମିଳିଥିବା ସୂଚନା ମୁତାବକ ଆଜି ରାତି ପ୍ରାୟ ୮ଟାରେ ଡେଲିମାର୍କେଟ ଟାଉନ ହାଇସ୍କୁଲ ନିକଟରେ ସାହିଲ ତା’ର ଜଣେ ସାଙ୍ଗଙ୍କ ସହ କଥା ହେଉଥିଲେ। ହଠାତ୍‌ ତିନି ଯୁବକଙ୍କ ପହଞ୍ଚି କୌଣସି କଥାକୁ ନେଇ ସାହିଲଙ୍କ ସହ ଯୁକ୍ତିତର୍କ କରିଥିଲେ। ସାହିଲ ପ୍ରତିବାଦ କରିବାରୁ କଥା ବଢ଼ିଥିଲା। ଏଥିରେ ଉତ୍ତେଜିତ ହୋଇ ତିନି ଯୁବକଙ୍କ ମଧ୍ୟରୁ ଜଣେ ନିକଟସ୍ଥ ପ୍ଲାଷ୍ଟିକ୍‌ ଦୋକାନରୁ ଛୁରା ଆଣି ସାହିଲକୁ ପ୍ରାଣାତ୍ମକ ଆକ୍ରମଣ କରିଥିଲେ। ସ୍ଥାନୀୟ ଦୋକାନୀ ଓ ସାଧାରଣ ଲୋକ ତିନି ଜଣଙ୍କ ମଧ୍ୟରୁ ଜଣକୁ କାବୁ କରି ମାଡ଼ ମାରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀକୁ ଉତ୍ତେଜିତ ଲୋକଙ୍କ କବଳରୁ ଉଦ୍ଧାର କରିଥିଲା।