ଭୁବନେଶ୍ବର: ବାଣୀବିହାରରେ ଆଲୋଚନାଚକ୍ର ବେଳେ ଉତ୍ତେଜନା ଘଟଣାରେ ସହିଦନଗର ଥାନା ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମାନସ କୁମାର ସାହୁ (୩୧) ଓ ସଂଜୟ କୁମାର ମଲ୍ଲିକ (୩୨)। ସଂଜୟ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ କୁରୁଡାଲୁଙ୍ଗା ଗାଁର ସର୍ବେଶ୍ବର ସାହୁଙ୍କ ପୁଅ ହୋଇଥିଲା ‌ବେଳେ ନୂଆଗାଁର ପ୍ରହଲ୍ଲାଦ ମଲିକଙ୍କ ପୁଅ ହେଉଛନ୍ତି ସଂଜୟ କୁମାର ମଲ୍ଲିକ। ଉଭୟ ଛାତ୍ର ବାଣୀବିହାର ଗୋପବନ୍ଧୁ ଛାତ୍ରାବାସର ୧ ନମ୍ବର କୋଠରୀରେ ରହୁଥିଲେ।

Advertisment

ସହିଦନଗର ପୁଲିସ କହିଛି ବାଣୀବିହାରରେ ରବିବାର ହୋଇଥିବା ଆକ୍ରମଣ ଘଟଣାରେ ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ସୂଚନାଯୋଗ୍ୟ ଯେ, ଅଭଯୋଗକାରୀଙ୍କ ଅଭିଯୋଗକ୍ରମେ ଉପରୋକ୍ତ ମାମଲା ରୁଜୁ କରାଯାଇଥିଲା । ଅଭିଯୋଗକାରୀ ଜଣକ ସିଟିଜେନ ଫୋରମର ସଦସ୍ୟ ଅଟନ୍ତି । ଘଟଣା ଦିନ ସେ ଉତ୍କଳ ବିଶ୍ବବିଦ୍ୟାଳୟର ପିଜି କାଉନସିଲ ବିଭାଗରେ ‘ଭାରତୀୟ ସମ୍ବିଧାନ ଓ ଶିକ୍ଷା’ ଉପରେ ଏକ ସେମିନାରର ଆୟୋଜନ କରିଥିବା ବେଳେ ସେଠାକୁ ନୂଆଦିଲ୍ଲୀସ୍ଥିତ ଜେଏନୟୁ ବିଶ୍ବବିଦ୍ୟାଳୟର ପ୍ରଫେସର ସୁରଜିତ ମଜୁମଦାର ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥି ଜଣକ ନିଜ ବକ୍ତବ୍ୟ ଆରମ୍ଭ କରିବା ସମୟରେ ଦୁଇ ଅଭିଯୁକ୍ତ ନିଜକୁ ଏବିଭିପି/ଆରଏସଏସର ସଦସ୍ୟ ଭାବେ ପରିଚୟ ଦେଇ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିବା ସହିତ କାର୍ଯ୍ୟକ୍ରମ ବନ୍ଦ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗକାରୀ ଜଣକ ବିରୋଧ କରିବାରୁ ଉଭୟ ଅଭିଯୁକ୍ତ ଫୋନ ମାଧ୍ୟମରେ ନିଜ ସହଯୋଗୀମାନଙ୍କୁ ଘଟଣାସ୍ଥଳକୁ ଡ଼ାକିଥିଲେ।

ଖବର ପାଇ ଘଟଣାସ୍ଥଳକୁ ୭/୮ ଜଣ ସହଯୋଗୀ ସେଠାରେ ପହଞ୍ଚିବା ସହିତ କାର୍ଯ୍ୟକ୍ରମ ବନ୍ଦ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗକାରୀ ଏବଂ ତାଙ୍କ ସହକର୍ମୀ ସେମାନଙ୍କୁ ବିରୋଧ କରିବାରୁ ଉଭୟ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀମାନେ ଉଭୟଙ୍କୁ ମିଟିଂ ରୁମର ଏକ କୋଣକୁ ନେଇ ସେଠାରେ ମାଡ଼ ମାରିବା ସହିତ ତଣ୍ଟିଚିପି ଜୀବନରୁ ମାରିଦେବାଲାଗି ଉଦ୍ୟମ କରିଥିଲେ ଏବଂ ମିଟିଂ ହଲରେ ଥିବା ବିଭିନ୍ନ ଆସବାବପତ୍ର ସବୁକୁ ମଧ୍ୟ ନଷ୍ଟ କରିଦେଇଥିଲେ। ଏହି ଘଟଣାର ଅଭିଯୋଗପରେ ସହିଦନଗର ଥାନା ପୁଲିସ ତଦନ୍ତ କରିବା ସହିତ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ପଚରାଉଚରା ସମୟରେ ଉଭୟ ଅଭିଯୁକ୍ତ ନିଜ ଦୋଷ ସ୍ଵୀକାର କରିଥିଲେ। ଅଧିକ ତଦନ୍ତ ବେଳେ ଜଣା ପଡିଥିଲା ଯେ, ଉଭୟ ଅଭିଯୁକ୍ତ ଉତ୍କଳ ବିଶ୍ବ ବିଦ୍ୟାଳୟର ଛାତ୍ର ନୁହନ୍ତି ଏବଂ ଅଭିଯୁକ୍ତ ମାନସ କୁମାର ସାହୁଙ୍କ ନାମରେ ପୂର୍ବରୁ ମଧ୍ୟ ସହିଦନଗର ଥାନାରେ ୮ଟି ଅପରାଧିକ ମାମଲା ରହିଥିବା ବେଳେ ଅଭିଯୁକ୍ତ ସଞ୍ଜୟ କୁମାର ମଲ୍ଲିକଙ୍କ ନାମରେ ସମ୍ପୃକ୍ତ ସହିଦନଗର ଥାନାରେ ୯ଟି ଅପରାଧିକ ମାମଲା ରହିଛି। ଆଇନଗତ କାର୍ଯାନୁଷ୍ଠାନ ପରେ ନିମ୍ନୋକ୍ତ ଉଭୟ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।