ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ; ୨ଜଣ ଅଭିଯୁକ୍ତ ଗିରଫ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୁଲିସ ଆଜି ଗୋଟିଏ ଠକ ଗ୍ୟାଙ୍ଗର ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତୃତୀୟ ବ୍ୟକ୍ତିଙ୍କୁ ଖୋଜୁଛି। ଏହି ସମ୍ପର୍କରେ ସ୍ଥାନୀୟ ଆଦର୍ଶ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା ଏବଂ ଗଣମାଧ୍ୟମକୁ ତଥ୍ୟ ଦେଇଥିଲେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାମକୃଷ୍ଣ ପତି ଏବଂ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ । ପୁଲିସ ଦେଇଥିବା ସୂଚନା ମୁତାବିକ ରା. ଉଦୟଗିରି ବ୍ଳକର ଟାଙ୍ଗିଲି ଗ୍ରମାର ବିପିନ ବିହାରୀ ମଣ୍ଡଳ ଏବଂ ଆଉ ୨୦ଜଣ ଯୁବକଙ୍କ ଏତେଲା କ୍ରମେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ସଦର ମହକୁମା ଦୋଳବନ୍ଦ ରାସ୍ତାରେ ଥିବା ସୁଭଦ୍ରାନଗରସ୍ଥିତ ଏକ ନିଯୁକ୍ତି କାର୍ଯ୍ୟାଳୟ ଉପରେ ଚଢ଼ଉ କରି ସୁବାଷ ଚନ୍ଦ୍ର ରାଉଳ(୪୭), ପାସପୁରେଡ୍ଡୀ ବନମାଳୀ (୨୫)ଙ୍କୁ  ଗିରଫ କରିଥିବା ବେଳେ ଫେରାର ଥିବା କୈଳାଶ କାର୍ଜୀଙ୍କୁ ପୁଲିସ ଖୋଜୁଛି। ସୁବାଷ ଚନ୍ଦ୍ର ରାଉଳ ଏବଂ ତାଙ୍କର ଦୁଇ ସହଯୋଗୀ ବେଆଇନ ଭାବେ ଏକ ନିଯୁକ୍ତି କାର୍ଯ୍ୟାଳୟ ଖୋଲିଥିଲା ଏବଂ ବେସରକାରୀ ସଂସ୍ଥାରେ ଚାକିରି କରାଇଦେବା ଲାଳଶା ଦେଖାଇ ଅନେକ ଯୁବକଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ଚଢ଼ଉ ବେଳେ ଉକ୍ତ କାର୍ଯ୍ୟାଳୟରୁ ଅନେକ ନକଲି ଦସ୍ତାବିଜ ଜବତ କରାଯିବା ସହ କିଛି ଆଇଡି କାର୍ଡ ମଧ୍ୟ ଜବତ ହୋଇଛି ଏବଂ ଏଥିରେ ଏକ ସାମ୍ବାଦିକ କାର୍ଡ ମଧ୍ୟ ରହିଛି। ପୁଲିସ ଦେଇଥିବା ସୂଚନା ମୁତାବିକ ଏହି ଗ୍ୟାଙ୍ଗ ବିପିନ ବିହାରୀ ମଣ୍ଡଳଙ୍କ ଠାରୁ ୧ଲକ୍ଷ ଟଙ୍କା ଏବଂ ରାଜେନ୍ଦ୍ର ଭୂୟାଁ ନାମକ ବ୍ୟକ୍ତିଙ୍କ ଠାରୁ ୭୦ହଜାର ଟଙ୍କା ନେଇଯାଇଛନ୍ତି। ପାରଳା ଥାନା କେସ ବର ୧୪୧/୨୨ରୁଜୁ କରାଯାଇରହିବା ବେଳେ ଦଫା ୪୨୦ରେ କୋର୍ଟ ଚାଲାଣ କରିଛନ୍ତି।

ସମ୍ବନ୍ଧିତ ଖବର