ବିଜେପି କର୍ମୀଙ୍କୁ ପିଟି ପିଟି ହତ୍ୟା ଘଟଣା‌: ୨ ଅଭିଯୁକ୍ତ ଗିରଫ

ମୁଖ୍ୟ ଅଭିଯୁକ୍ତ ଗିରଫ ନହେଲେ ତେଜିବ ଆନ୍ଦୋଳନ: ବିଜେପି

ଭଦ୍ରକ: ଭଦ୍ରକ ନିର୍ବାଚନ ମଣ୍ଡଳୀର ବ୍ରହ୍ମପୁର ଗ୍ରାମର ବିଜେପି ଯୁବକର୍ମୀ ସୁବାଶିଷ ଗିରିଙ୍କ ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ସାବରଙ୍ଗ ଥାନା ପୁଲିସ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ବ୍ରହ୍ମପୁର ଗ୍ରାମର ଜ୍ୟୋତିରଂଜନ ସେନାପତି ଓ ପ୍ରିୟରଂଜନ ସେନାପତି। ମୁଖ୍ୟ ଅଭିଯୁକ୍ତ ଗିରଫ ନହେଲେ ଆନ୍ଦୋଳନ ତେଜିବ ବୋଲି ବିଜେପି ଚେତାବନୀ ଦେଇଛି। ଏଥି ସହିତ ବିଜେପି କର୍ମୀମାନେ ଜିଲ୍ଲାବ୍ୟାପୀ ଥାନା ଆଗରେ ସତ୍ୟାଗ୍ରହ କରିଛନ୍ତି।

ପ୍ରକାଶ ଥାଉକି, ଗତ ୧ ତାରିଖ ଭଦ୍ରକ ନିର୍ବଚାନ ମଣ୍ଡଳୀର ବ୍ରହ୍ମପୁର ପଞ୍ଚାୟତର ଏକ କ୍ଲବ ଘର ଓ ଖେଳପଡିଆ ବିବାଦରୁ ବିଜେପିର ଯୁବ କର୍ମୀ ସୁବାଶିଷ ଗିରିଙ୍କୁ ଏକ ରାଜନୈତିକ ଦଳର କିଛି କର୍ମୀ ଏକ ନଳକୂପ ହେଣ୍ଡଲରେ ପିଟି ପିଟି ମାରିଦେଇ ପୋଖରୀକୁ ଫିଙ୍ଗି ଦେବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଛି । ଏଇ ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ସେହିଦିନ ଅଞ୍ଚଳବାସୀଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ମୃତ ସୁବାଶିଷର ଶବ ରଖି ସ୍ଥାନୀୟ ଲୋକ ଅଭିଯୁକ୍ତଙ୍କୁ ଗିରଫ ଦାବିକରି ଚାନ୍ଦବାଲି- ଭଦ୍ରକ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ।

ଭଦ୍ରକ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡି ଯାଉଥିବା ବେଳେ ସାଧାରଣ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଗୋଟିଏ ପଟରେ ହତ୍ୟାକାଣ୍ଡ ଅନ୍ୟ ପକ୍ଷରେ ପୁଲିସର ନୀରବକୁ ନେଇ ଲୋକେ ତାତିବା ସହ ବିଜେପି ପକ୍ଷରୁ ଯୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ସେଦିନର ପରିସ୍ଥିତି ଅଣାୟତ ହେବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ହତ୍ୟାକାଣ୍ଡ ଘଟଣା ଘଟିବାର ଦୁଇଦିନ ପରେ ପୁଲିସ ହାତଖାଲି କରି ବସିଥିବାରୁ ବିଜେପି ନେତାଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଜେପିର ରାଜ୍ୟ ନେତା ଓ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, ଜିଲ୍ଲା ସଭାପତି ହେମନ୍ତ କୁମାର ପାଢୀ, ଅଭିମନ୍ୟୁ ସେଠୀ, ବଦ୍ରୀନାରାୟଣ ଧଳ, ମାଧବାନନ୍ଦ ମଲ୍ଲିକ, ଡା. ପ୍ରଦୀପ ନାୟକ, ଶ୍ରୀ ହର୍ଷ ସ୍ବାଇଁଙ୍କ ସମେତ ଦଳର ବରିଷ୍ଠ କର୍ମକର୍ତ୍ତାଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା।

 

ସମ୍ବନ୍ଧିତ ଖବର