ଖୋର୍ଦ୍ଧା: ଖୋର୍ଦ୍ଧା ନିକଟ ବରୁଣେଇ ଛକ ନିକଟରୁ ଏକ ଗୋ ମାଂସ ଓ ହାଡ଼ ବୋଝେଇ ଟାଟା ଏସିକୁ କେତେକ ବ୍ୟକ୍ତି ଧରି ପୁଲିସର ଜିମା ଦେଇଛନ୍ତି । ପୁଲିସ ଅନୁସନ୍ଧାନ ପରେ ଏହି ମାମଲାରେ ୟୁସୁଫ ଖାଁ ଓ ସେକ୍ ଚାନ୍ଦ ବାବୁକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଗୋରୁ ହାଡ଼ ଓ ଅବଶିଷ୍ଟାଂଶର ବ୍ୟବହାର ନେଇ ଅଭିଯୁକ୍ତଙ୍କ ବୟାନ ପରେ ହୋଟେଲ୍ ଆଦିରେ ଏହାର ବ୍ୟବହାରକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

Advertisment

ସୂଚନାନୁସାରେ ଆଜି ସକାଳେ ଏକ ଟାଟା ଏସ (ଓଡି୦୨ୟୁ ୯୬୮୧) ବରୁଣେଇ ଛକ ନିକଟରେ ଯାଉଥିବା ବେଳେ ଦୁର୍ଗନ୍ଧକୁ ସନ୍ଦେହ କରି କଦଳୀବାଡ଼ିର ରାଧାମୋହନ ପ୍ରଧାନ ଓ ଅନ୍ୟ ସାଥୀମାନେ ପିଛା କରିଥିଲେ । ତେବେ ଗାଡ଼ିଟିକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଗାଡ଼ିଚାଳକ ସେମାନଙ୍କ ଉପରେ ଚପାଇ ମାରିଦେବାକୁ ଉଦ୍ୟମ କରିଥିଲା । ତେବେ ଦୈବାତ୍ ଏକ ଅଘଟଣରୁ ରକ୍ଷା ପାଇ ଗାଡ଼ିଟିକୁ ଅଟକାଇବାରେ ସକ୍ଷମ ହୋଇଥିଲେ । ଗାଡ଼ିରେଥିବା ବସ୍ତା ଗୁଡ଼ିକ ଖୋଲିବା ପରେ ସେଥିରୁ ୧୫ରୁ ଉଦ୍ଧ୍ୱର୍ ବସ୍ତାରେ ଗୋରୁ ହାଡ଼ ଓ ଅବଶିଷ୍ଟାଂଶ ଥିଲା । ଚାଳକ ଓ ସହାୟକ ସହ ଗାଡ଼ିଟିକୁ ନେଇ ସେମାନ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ପୁଲିସର ଜିମା ଦେଇଥିଲେ । ତେବେ ଏଭଳି ଗୋରୁ ହାଡ଼ ଓ ଅବଶିଷ୍ଟାଂଶ ଚାଲାଣ ନେଇ ଗାଡ଼ି ଚାଳକଙ୍କ କହିବାକଥା ହେଲା, ଭୁବନେଶ୍ୱର ନିକଟ ଯଦୁପୁରରେ ଗୋ ହତ୍ୟା କରିବା ପରେ ସେଠାରୁ ହାଡ଼ ଓ ବଳକା ଜିନିଷ ବେଗୁନିଆର ବେଣାପଂଜୁରି ଆଣିଥାନ୍ତି । ବେଣାପଂଜୁରିର ବେଲାଳ ବାଜୁ ନାମକ ଏକ ବ୍ୟବସାୟୀକୁ ଏହା ଦେଇଥାନ୍ତି । ସେ ଏହିଗୁଡ଼ିକୁ ନେଇ ଛୋଟଛୋଟ ଖଣ୍ଡକରି ବିଭିନ୍ନ ହୋଟେଲ୍କୁ ଯୋଗାଇଥାନ୍ତି, ତେବେ ଅଧିକାଂଶ ସମୟରେ ସେ ଏହି ସବୁକୁ ନେଇ ଉକ୍ତ ବ୍ୟକ୍ତିଙ୍କ ଗୋଦାମରେ ପହଂଚାଇଦେବା ପରେ ସେଠାରୁ ଚାଲିଆସନ୍ତି, ଏଣୁ ଏନେଇ ସେ ସବିଶେଷ ଜାଣିନଥିବା କହିଛନ୍ତି ।

ଏନେଇ ଖୋର୍ଦ୍ଧା ଟାଉନ୍ ଥାନା ଅଧିକାରୀ ସଂଜୟ ପଟ୍ଟନାୟକ କହିଛନ୍ତି ଯେ ଏନେଇ ଦଫା ୩୦୭, ୫୦୬ ଓ ୩୪ ଆଇପିସିରେ ୨୬୦/୨୦୨୨ରେ ଏକ ମାମଲା ରୁଜୁ କରାଯାଇଛି । ମାମଲାରେ ନିମାପଡ଼ାର ରେଂଘାଳ ଗାଁର ୟୁସୁଖ ଖାଁ ଓ ଭଦ୍ରକର ସେକ୍ ଚାନ୍ଦବାବୁକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ହାଡ଼ ଓ ଅନ୍ୟ ପଦାର୍ଥଗୁଡ଼ିକୁ ପଶୁଡାକ୍ତରଙ୍କ ଦ୍ୱାରା ଯାଂଚ କରାଯିବା ସହ ଅନ୍ୟ ବିଷୟଗୁଡ଼ିକର ଅନୁସନ୍ଧାନ କରାଯାଉଛି ।