ଫୁଟବଲ୍‌ ମ୍ୟାଚ୍‌ ଦେଖି ବାଇକ୍‌ରେ ଘରକୁ ଫେରୁଥିଲେ ୩ ଯୁବକ, ରାସ୍ତାକଡ଼ର ରେଲିଂରେ ପିଟି ହୋଇ ୨ ମୃତ

କୁଚିଣ୍ଡା: ଖୁସିର ମୁହୂର୍ତ୍ତ ଦୁଃଖରେ ପରିଣତ ହୋଇଛି। ଫୁଟବଲ୍‌ ମ୍ୟାଚ ଦେଖି ସାରି ଖୁସିରେ ଘରକୁ ଫେରୁଥିଲା ବେଳେ ଜାତୀୟ ରାଜପଥକଡ଼ରେ ଥିବା ଲୁହାର ରେଲିଂରେ ପିଟି ହୋଇ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଘୋଷାଛକ ନିକଟରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ବିକାଶ ମାଝୀ (୨୨) ଓ ମାନସ ଦାସ (୨୩)। ଆହତ ଜିତେନ୍ଦ୍ର ବଲୁଆ (୨୩)ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଲାଡ ଗାଁ‌ର ବିକାଶ, କୁଡ଼ଶପରା ଗାଁର ମାନସ ଓ ଚାନ୍ଦୁଟିକିରା ଗାଁର ଜିତେନ୍ଦ୍ର ଆଜି ଅପରାହ୍ନରେ ଫୁଟବଲ ମ୍ୟାଚ ଦେଖିବା ପାଇଁ ମନ୍ତ୍ରୀମୁଣ୍ଡାକୁ ଯାଇଥିଲେ। ସେମାନେ ମ୍ୟାଚ ଶେଷ ହେବା ପରେ ରାତି ପ୍ରାୟ ସାଢ଼େ ୭ଟାରେ ବାଇକରେ ଘରକୁ ଫେରୁଥିଲେ। କିନ୍ତୁ କୁଚିଣ୍ଡାର ନୂଆ ବାଇପାସ ଘୋଷା ଛକ ନିକଟରେ ରାସ୍ତାକଡ଼ରେ ଥିବା ଲୁହାର ରେଲିଂରେ ଭାରସାମ୍ୟ ହରାଇ ଏକ ବୁଲାଣିଆରେ ପିଟି ହୋଇଥିଲେ। ଫଳରେ ଘଟଣାସ୍ଥଳରେ ବିକାଶ ଓ ମାନସଙ୍କ ମୃତ୍ୟୁ ହୋଇଥିଲା। ଆହତ ଜିତେନ୍ଦ୍ରଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି।

ଦୀପାବଳି ଅବସରରେ ଗତ ୨୨ ତାରିଖ ଠାରୁ ମନ୍ତ୍ରୀମୁଣ୍ଡା ଗାଁରେ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ। ଆଜି ରେଙ୍ଗାଲି ଓ ଝାରସୁଗୁଡ଼ା ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଏହି ଅବସରରେ ସ୍ଥାନୀୟ ଅଞ୍ଚଳରୁ ପ୍ରାୟ ୫୦୦୦ ଲୋକ ଏକତ୍ର ହୋଇଥିଲେ। ଏହି ମ୍ୟଚ ଦେଖିବାକୁ ବିକାଶ, ମାନସ ଓ ଜିତେନ୍ଦ୍ର ମଧ୍ୟ ଆସିଥିଲେ ଏବଂ ସେମାନେ ଘରକୁ ଫେରିବା ବେଳକୁ ଦୁର୍ଘଟଣାର ସାମ୍ନା କରିଥିଲେ।

 

ସମ୍ବନ୍ଧିତ ଖବର