ସୁନ୍ଦରଗଡ଼: ସୁନ୍ଦରଗଡ଼ ସ୍ବତନ୍ତ୍ର ପକ୍ସୋ କୋର୍ଟରେ ଜୁଲାଇ ୨୩ ତାରିଖରେ ପୃଥକ ପୃଥକ ଦୁଇଟି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଧମକ ମାମଲାର ଶୁଣାଣି ହୋଇଛି। ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ପକ୍ସୋ କୋର୍ଟ ପ୍ରିଜାଇଡିଂ ଅଫିସର ମହେନ୍ଦ୍ର କୁମାର ସୂତ୍ରଧର ଦୁଇ ମାମଲାର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଜେଲ୍ ଦଣ୍ଡ ଓ ଜରିମାନା ଆଦେଶ କରିଛନ୍ତି। ଜଣେ ଦୁଷ୍କର୍ମକାରୀକୁ ୧୦ ବର୍ଷ ଓ ଅନ୍ୟ ଜଣକୁ ୯ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି।
୨୦୧୩ ଅପ୍ରେଲ ୧୭ରେ ଗୁରୁଣ୍ଡିଆ ଥାନା ଧେଙ୍ଗୁରପାନି (ଅସୁରଖୋଲ)ର ଲାଡ଼ୋ ଓରଫ ରାଜେଶ ମିର୍ଦ୍ଧା (୩୬) ଜଣେ ୧୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହ ବାହାରେ କଥା ପ୍ରଘଟ କଲେ ହତ୍ୟା କରିବାର ଧମକ ଦେଇଥିଲା। ୧୭ ତାରିଖ ସକାଳ ସାଢ଼େ ୮ଟାରେ ନାବାଳିକା ନଡ଼ା ସଂଗ୍ରହ କରିବାକୁ ଯାଇଥିଲେ। ଏହି ସମୟରେ ରାଜେଶ ନାବାଳିକାଙ୍କ ମୁହଁକୁ ଚାପି ପାଖ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିବା ପରେ ପରିବାର ଲୋକଙ୍କୁ କହିଲେ ଜୀବନରେ ମାରିଦେବାର ଧମକ ଦେଇ ଚାଲି ଯାଇଥିଲା। ଏହା ପରେ ଅଚେତ ଅବସ୍ଥାରେ ନାବାଳିକାଙ୍କୁ ତାଙ୍କ ମା’ ଉଦ୍ଧାର କରିଥିଲେ। ଘଟଣା ସମ୍ପର୍କରେ ଅବଗତ ହେବା ପରେ ସେ ଗାଁ ସରପଞ୍ଚଙ୍କ ପରାମର୍ଶକ୍ରମେ ଥାନାରେ ଏତଲା ଦେଇଥିଲେ। ୧୮ ତାରିଖରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ମାମଲାର ବିଚାର ଚାଲିଥିବା ବେଳେ ୨୦୧୩ ଡିସେମ୍ବର ୧୬ରୁ ସାକ୍ଷ୍ୟ ଗ୍ରହଣ କରି ରାୟକୁ ସଂରକ୍ଷିତ ରଖିଥିଲେ କୋର୍ଟ। ଜୁଲାଇ ୨୩ରେ ରାଜେଶକୁ ୯ ବର୍ଷ ଜେଲ୍ ଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଆଦେଶ କରିଥିଲେ। ସେହିପରି ୨୦୧୪ରେ ଲହୁଣିପଡ଼ା ଥାନା ରୁଗୁଡ଼ା ଶ୍ୟାମସୁନ୍ଦରପୁରର ଶୁକ୍ରୁମୁଣ୍ଡା ଓରଫ ଉଟି (୬୦) ଜଣେ ନାବାଳିକାଙ୍କୁ ଧମକଚମକ ଦେଇ ବାରମ୍ବାର ଦୁଷ୍କର୍ମ କରିଥିଲା। ଫଳରେ ନାବାଳିକା ଅନ୍ତଃସତ୍ତ୍ବା ହୋଇପଡ଼ିଥିଲେ। ଏହା ଜାଣିବା ପରେ ପୀଡ଼ିତାଙ୍କ ପରିବାର ଲୋକେ ୨୦୧୪ ଡିସେମ୍ବର ୨୦ରେ ଲହୁଣିପଡ଼ା ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଡିସେମ୍ବର ୨୭ରେ ଅଭିଯୁକ୍ତ ଶୁକ୍ରୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାର ଚାଲିଥିବା ବେଳେ ୨୦୧୬ ଅକ୍ଟୋବର ୨୫ରୁ କୋର୍ଟ ସାକ୍ଷ୍ୟ ଗ୍ରହଣ କରି ରାୟକୁ ସଂରକ୍ଷିତ ରଖିଥିଲେ। ଜୁଲାଇ ୨୩ରେ କୋର୍ଟ ରାୟ ପ୍ରକାଶ କରି ଦୋଷୀ ଶୁକ୍ରୁକୁ କୋର୍ଟ ୧୦ ବର୍ଷ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଉଭୟ ମାମଲାକୁ ସ୍ବତନ୍ତ୍ର ଜନଅଭିଯୋଜକ (ପିପି) ଦେବାଶିଷ ମିଶ୍ର ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/court-generic_625x300_1527245477936.jpg)