କଟକ : ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା ଦାୟର ହୋଇଛି। ପ୍ରଥମ ମାମଲାଟି ଗତ ବୁଧବାର ଦିନ ହାଇକୋର୍ଟର ଆଇନଜୀବୀ ପଦ୍ମାଳୟା ମହାପାତ୍ର ଦାୟର କରିଥିବା ବେଳେ ଦ୍ବିତୀୟ ମାମଲାଟି ଆଜି ଭାରତୀୟ ବିକାଶ ପରିଷଦ ରାଜ୍ୟ ସଭାପତି ସୁରେନ୍ଦ୍ର କୁମାର ପାଣିଗ୍ରାହୀ ରୁଜୁ କରିଛନ୍ତି।
ଆଇନଜୀବୀ ମହାପାତ୍ରଙ୍କ ଆବେଦନରେ ଉଲ୍ଲେଖ କରାଯାଇଛି ଯେ ୨୦୨୦, ଜୁଲାଇ ୨୦ରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପରୀ ନିଖୋଜ ହୋଇଯାଇଥିଲା। ପରିବାର ଲୋକ ବହୁତ ଖୋଜା ଖୋଜି କରି ପରୀକୁ ପାଇ ନଥିବା ବେଳେ ଏ ନେଇ ଜୁଲାଇ ୧୪ରେ ନାୟାଗଡ଼ ସଦର ଥାନାରେ ଏତଲା ରୁଜୁ ହୋଇଥିଲା। ପୁଲିସ ତଦନ୍ତରୁ କିଛି ଫଳ ନ ମିଳିବାରୁ ପରିବାର ଲୋକେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଜୁଲାଇ ୨୩ରେ ଘର ପଛପଟୁ ଶିଶୁଟିର ଗଳିତ ଶବ ମିଳିଥିଲା। କେହି ଦୁର୍ବୃତ୍ତ ପରୀକୁ ହତ୍ୟା କରିବା ପରେ ଅଖାରେ ତାର ଶବ ବାନ୍ଧି ପକାଇ ଦେଇଥିବା ସନ୍ଦେହ କରାଯାଇଥିଲା। ଏହା ପରେ ମାସ ପରେ ମାସ ବିତି ଥିଲେ ମଧ୍ୟ ପରୀ ହତ୍ୟା ମାମଲାର ତଦନ୍ତରେ ଅଗ୍ରଗତି ହୋଇ ନଥିଲା। ଅନ୍ୟପକ୍ଷରେ ରାଜନୈତିକ ନେତାଙ୍କ ଚାପରେ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଜଣେ ମନ୍ତ୍ରୀ ପରୀର ହତ୍ୟାକାରୀକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି ଓ ପୁଲିସ ଚାପରେ ରହିଛି ବୋଲି ଅଭିଯୋଗ ହୋଇଥିବା ବେଳେ ପୁଲିସ ତଦନ୍ତରେ ଭରସା ନାହିଁ। ପରୀ ପରିବାରକୁ ନ୍ୟାୟ ପ୍ରଦାନ କରାଯାଉ ନଚେତ ସାଧାରଣ ଲୋକଙ୍କ ଆଇନ ଉପରୁ ଭରଷା ଉଠି ଯିବ। ଏହି ଘଟଣାର ତଦନ୍ତକୁ ହାଇକୋର୍ଟ ନିଜେ ତଦାରଖ କରନ୍ତୁ ନଚେତ ସ୍ବାଧୀନ ଏଜେନ୍ସି ବା ସିବିଆଇ ଦ୍ବାରା ତଦନ୍ତ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏହି ଘଟଣାରେ ଦୋଷୀ ବ୍ୟକ୍ତି ଓ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହିତ ନୟାଗଡ଼ ଏସପିଙ୍କୁ ପୀଡିତ ପରିବାରକୁ ସୁରକ୍ଷା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆଇନଜୀବୀ ମହାପାତ୍ରଙ୍କ ଆବେଦନରେ ଉଲ୍ଲେଖ କରାଯାଇଛି।
ଅନ୍ୟପକ୍ଷରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ। ସିବିଆଇ ପକ୍ଷରୁ ତଦନ୍ତ ହେଲେ ଅଭିଯୁକ୍ତଙ୍କ ସହିତ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ବ୍ୟକ୍ତିଙ୍କ ପ୍ରକୃତ ସ୍ବରୂପ ଜଣା ପଡିବ। ଏଥି ସହିତ ପରୀର ବାପା-ମା’ଙ୍କୁ ୨୫ ଲକ୍ଷ ଟଙ୍କା ରାଜ୍ୟ ସରକାର କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆଇନଜୀବୀ ମହାପାତ୍ରଙ୍କ ତରଫରୁ ସୁଜାତା ମହାନ୍ତି ଓ ପରିଷଦ ତରଫରୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/pari-case-high-court-26_Thumb.jpg)